ଦ୍ୱିତୀୟ ଦିନରେ ଆଗକୁ ବଢ଼ୁଛି ଘୋଷଯାତ୍ରା । ଭକ୍ତି, ଭାବ ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମରେ ଆଜି ବଡ଼ଦାଣ୍ଡରେ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ।
ଦ୍ୱିତୀୟ ଦିନରେ ଆଗକୁ ବଢ଼ୁଛି ଘୋଷଯାତ୍ରା । ଭକ୍ତି, ଭାବ ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମରେ ଆଜି ବଡ଼ଦାଣ୍ଡରେ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଆଗରେ ବଡ଼ଭାଇ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପଛରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ, ଆଉ ମଝିରେ ଦେବୀ ସୁଭଦ୍ରାଙ୍କ ଦିବ୍ୟ ରଥ—ଏହି ଅଲୌକିକ ଦୃଶ୍ୟରେ ଭାବବିହ୍ୱଳ ହୋଇଉଠିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ । ଚାରିଆଡ଼େ କେବଳ “ଜୟ ଜଗନ୍ନାଥ” ଧ୍ୱନି । ଯେଉଁଆଡ଼େ ଚାହିଁବେ, ସେଠି କେବଳ ଭକ୍ତଙ୍କ ସମୁଦ୍ର ।
ଆଖି ପାଉନାହିଁ ଜନସମାଗମର ସୀମା । ଲାଗୁଛି ସତେ ଯେପରି ଭକ୍ତିର ସମୁଦ୍ର ମଝିରେ ତିନୋଟି ଦିବ୍ୟ ବୋଇତ ଧୀରେ ଧୀରେ ଆଗକୁ ବଢ଼ି ଚାଲିଛି । ପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଲକ୍ଷଲକ୍ଷ ଆଖି ଅପେକ୍ଷାରେ । କାହାର ଆଖିରେ ଆନନ୍ଦର ଅଶ୍ରୁ, କାହାର ହୃଦୟରେ ଅପାର ଭକ୍ତି, ଆଉ ସମସ୍ତଙ୍କ ଓଠରେ କେବଳ ଗୋଟିଏ ନାମ—”ଜୟ ଜଗନ୍ନାଥ” । ଏହା କେବଳ ଏକ ରଥଯାତ୍ରା ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ମିଳନର ମହାମୁହୂର୍ତ୍ତ । ଏମିତି ଦିବ୍ୟ ଦୃଶ୍ୟକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ଏହାକୁ କେବଳ ଅନୁଭବ କରାଯାଇପାରେ । ଭକ୍ତିର ଉଲ୍ଲାସ, ଶ୍ରଦ୍ଧାର ଉଚ୍ଛ୍ୱାସ ଓ ଆଧ୍ୟାତ୍ମିକ ଚେତନାରେ ଆଜି ପ୍ରକମ୍ପିତ ହେଉଛି ସମଗ୍ର ଶ୍ରୀକ୍ଷେତ୍ର ।

