ମାଗଣା ଆଡମିସନ ନିର୍ଦ୍ଦେଶ ସତ୍ତ୍ୱେ ଫି ଆଦାୟ ଅଭିଯୋଗ, ରାଜନଗର କଲେଜରେ ଛାତ୍ର ଆନ୍ଦୋଳନ

ମାଗଣା ନାମଲେଖା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଫି ଆଦାୟ ଅଭିଯୋଗକୁ ନେଇ ତେଜିଛି ବିବାଦ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ +3 ନାମଲେଖା ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି ।

ମାଗଣା ନାମଲେଖା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଫି ଆଦାୟ ଅଭିଯୋଗକୁ ନେଇ ତେଜିଛି ବିବାଦ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଏକମାତ୍ର ଡିଗ୍ରୀ କଲେଜ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ +3 ନାମଲେଖା ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି । ଗତ ୮ ତାରିଖରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲାଗୁ ହୋଇଥିବା ନିର୍ଦ୍ଦେଶ ଅନୁସାରେ, ଛାତ୍ରଛାତ୍ରୀଙ୍କ ଠାରୁ ନାମଲେଖା ଫି ଆଦାୟ ନ କରିବାକୁ କୁହାଯାଇଥିଲା । ଏହା ଆଧାରରେ ଜିଲ୍ଲାର ଅନ୍ୟାନ୍ୟ କଲେଜରେ +2 ଓ +3 ନାମଲେଖା ମାଗଣାରେ ହେଉଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । ତେବେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର +3 ନାମଲେଖା ପାଇଁ ୬ ହଜାରରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଆସିଛି ।

 ଅନ୍ୟ କଲେଜରେ ଯେଉଁଠି ମାଗଣାରେ ଆଡମିସନ ହେଉଛି, ସେଠାରେ ଏହି କଲେଜରେ କାହିଁକି ଟଙ୍କା ନିଆଯାଉଛି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ଆଜି ଅନେକ ଛାତ୍ରଛାତ୍ରୀ କଲେଜ ପରିସରରେ ପହଞ୍ଚି ପ୍ରତିବାଦ କରିଥିଲେ । ଆନ୍ଦୋଳନକାରୀ ଛାତ୍ରଛାତ୍ରୀ କଲେଜ ଗେଟରେ ତାଲା ପକାଇ ଫି ଆଦାୟକୁ ବିରୋଧ କରିଥିଲେ । ସରକାର କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇବା ନେଇ ଘୋଷଣା କରିଥିବାବେଳେ ଏଭଳି ଫି ଆଦାୟ ଅଭିଯୋଗ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ସୃଷ୍ଟି କରିଛି । ଘଟଣା ନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମିଳିନଥିବା ବେଳେ ଆଗାମୀ ପଦକ୍ଷେପ ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *