ଆସାମରେ ମଣିଷ-ହାତୀ ଲଢ଼େଇ: ବିଗତ ଦଶନ୍ଧିରେ ୧,୧୪୭ ଜଣଙ୍କ ମୃତ୍ୟୁ, ୨୪୬ ହାତୀଙ୍କ ଜୀବନ ଗଲା
ଆସାମ ବିଧାନସଭାର ଚାଲିଥିବା ବଜେଟ୍ ଅଧିବେଶନରେ ରାଜ୍ୟର ସବୁଠାରୁ ବଡ଼ ସମସ୍ୟା ପାଲଟିଥିବା ‘ମଣିଷ-ହାତୀ ସଂଘର୍ଷ’ର ଏକ ଭୟାବହ ଚିତ୍ର ସାମ୍ନାକୁ ଆସିଥିବା ବେଳେ, ବିଗତ ଦଶନ୍ଧି ମଧ୍ୟରେ ଏହି ପ୍ରାକୃତିକ ସଂଘର୍ଷ ଯୋଗୁଁ ରାଜ୍ୟରେ ମୋଟ ୧,୧୪୭ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିବା ଏବଂ ୨୪୬ଟି ହାତୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ଆସାମର ପରିବେଶ ଓ ବନ ମନ୍ତ୍ରୀ ଜୟନ୍ତ ମଲ୍ଲବରୁଆ ଗୃହକୁ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ରେକିବୁଦ୍ଦିନ ଅହମ୍ମଦଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ବନ ମନ୍ତ୍ରୀ ଜଣାଇଛନ୍ତି ଯେ, ହାତୀମାନଙ୍କ ମୃତ୍ୟୁ ପାଇଁ ମୂଖ୍ୟତଃ ବିଦ୍ୟୁତ ଆଘାତ ଏବଂ ଟ୍ରେନ୍ ଦୁର୍ଘଟଣା ହିଁ ଦାୟୀ ରହିଛି, ଯାହା ପ୍ରଶାସନ ପାଇଁ ଏବେ ବି ଏକ ବଡ଼ ଆହ୍ୱାନ ସାଜିଛି।
ମଣିଷ-ହାତୀ ଲଢ଼େଇ : କେଉଁଠି ହାତୀ ଘରେ ପଶି ଭାଙ୍ଗୁଛି ତ କେଉଁଠି ହାତୀ ବନ୍ଦ ପାଳନ ; ଅଘଟଣ ପାଇଁ ଦାୟୀ କିଏ ?
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ବିଗତ ୨୦୨୫ ମସିହାରେ ସର୍ବାଧିକ ୧୩୮ ଜଣ ଲୋକ ଏହି ସଂଘର୍ଷ ଯୋଗୁଁ ପ୍ରାଣ ହରାଇଥିବା ବେଳେ ୨୦୨୬ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କର ମୃତ୍ୟୁ ଘଟିସାରିଛି।ରାଜ୍ୟ ବନ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ଏକ ଦଶନ୍ଧି ମଧ୍ୟରେ ବକ୍ସା, ଧନସିରି, ନଗାଓଁ, ସୋନିତପୁର ୱେଷ୍ଟ, ଗୋଆଲପଡ଼ା, ଗୋଲାଘାଟ ସମେତ କେତେକ ବନଖଣ୍ଡ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଥିରେ କେବଳ ଗୋଆଲପଡ଼ାରେ ୨୦୧୬ ପରଠାରୁ ସର୍ବାଧିକ ୧୯୫ ଜଣ ଏବଂ ଧନସିରିରେ ୧୪୩ ଜଣଙ୍କ ଜୀବନ ଯାଇଛି। ସେହିପରି ଏହି ସମାନ ସମୟ ମଧ୍ୟରେ ବିଦ୍ୟୁତ ଆଘାତ, ଟ୍ରେନ୍ ଦୁର୍ଘଟଣା ଏବଂ ବିଷ ପ୍ରୟୋଗ ଯୋଗୁଁ ୨୪୬ଟି ହାତୀଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୨୦୧୭ରେ ସର୍ବାଧିକ ୪୨ଟି, ୨୦୨୫ରେ ୩୬ଟି ଏବଂ ୨୦୨୪ରେ ୨୭ଟି ହାତୀ ପ୍ରାଣ ହରାଇଥିଲେ। ଚଳିତ ବର୍ଷ ମଧ୍ୟ ୫ଟି ହାତୀଙ୍କ ମୃତ୍ୟୁ ହୋଇଛି, ଯେଉଁଥିରୁ ୪ଟି ବିଦ୍ୟୁତ ଆଘାତ ଏବଂ ଗୋଟିଏ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଛି। ମନ୍ତ୍ରୀ ଗୃହକୁ ଆହୁରି ଜଣାଇଛନ୍ତି ଯେ, ଆସାମର ମୋଟ ୧୮,୩୩,୫୯୨ ହେକ୍ଟର ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ୨୦୨୬ ଫେବୃଆରୀ ସୁଦ୍ଧା ପ୍ରାୟ ୩,୧୫,୯୯୭ ହେକ୍ଟର ଜମି ଜବରଦଖଲ ଅଧୀନରେ ରହିଛି, ଯେଉଁଥିରୁ ବିଗତ ବର୍ଷଗୁଡ଼ିକରେ ଉଚ୍ଛେଦ ଅଭିଯାନ ଚଲାଇ ୨୫,୫୮୮ ହେକ୍ଟର ଜମି ମୁକ୍ତ କରାଯାଇଛି। ରେଳଧାରଣା ନିକଟରେ ୩୩ଟି ହାତୀ କରିଡର ଚିହ୍ନଟ କରାଯିବା ସହ ସୋଲାର ଫେନ୍ସିଂ (ସୌର ବାଡ଼) ଲଗାଯାଇଥିଲେ ମଧ୍ୟ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିନାହିଁ। ବର୍ତ୍ତମାନ ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରର ୩୬.୧ ପ୍ରତିଶତ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି।

