ବଦଳୁଥିବା ଜୀବନଶୈଳୀ, ଅନିୟମିତ ଖାଦ୍ୟାଭ୍ୟାସ, ମାନସିକ ଚାପ ଓ ବ୍ୟାୟାମର ଅଭାବ ଆଜିକାଲି ଅନେକ ଗୁରୁତର ରୋଗର କାରଣ ପାଲଟିଛି । ଅନେକ ସମୟରେ ଶରୀରରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ଭିତରେ ନିରବରେ ରୋଗ ବଢ଼ି ଚାଲିଥାଏ ।
ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଭାବୁଛନ୍ତି କି? ତେବେ କେବଳ ସୁସ୍ଥ ଅନୁଭବ କଲେ ହିଁ ଯଥେଷ୍ଟ ନୁହେଁ । ଅନେକ ଗୁରୁତର ରୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ଲକ୍ଷଣ ଦେଖାଏ ନାହିଁ । ଫଳରେ ରୋଗ ଧରାପଡ଼ିବା ବେଳକୁ ବହୁତ ଡେରି ହୋଇଯାଏ । ଚିକିତ୍ସା ବିଶେଷଜ୍ଞଙ୍କ ମତରେ, ବର୍ଷକୁ ଅତି କମରେ ଥରେ କିଛି ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ହୃଦରୋଗ, ମଧୁମେହ, କ୍ୟାନ୍ସର ଭଳି ଅନେକ ରୋଗକୁ ପ୍ରାରମ୍ଭରୁ ଚିହ୍ନଟ କରିହେବ । ତେବେ କେଉଁ ବୟସରେ କେଉଁ ପରୀକ୍ଷା ଜରୁରୀ? କେବେ କରିବେ CT ସ୍କାନ୍, MRI କିମ୍ବା ମ୍ୟାମୋଗ୍ରାଫି? ଆସନ୍ତୁ ଜାଣିବା ..
ବଦଳୁଥିବା ଜୀବନଶୈଳୀ, ଅନିୟମିତ ଖାଦ୍ୟାଭ୍ୟାସ, ମାନସିକ ଚାପ ଓ ବ୍ୟାୟାମର ଅଭାବ ଆଜିକାଲି ଅନେକ ଗୁରୁତର ରୋଗର କାରଣ ପାଲଟିଛି । ଅନେକ ସମୟରେ ଶରୀରରେ କୌଣସି ଲକ୍ଷଣ ନଥିଲେ ମଧ୍ୟ ଭିତରେ ନିରବରେ ରୋଗ ବଢ଼ି ଚାଲିଥାଏ । ତେଣୁ କେବଳ ଅସୁସ୍ଥ ହେଲେ ନୁହେଁ, ସୁସ୍ଥ ଥିବା ସମୟରେ ମଧ୍ୟ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ, ପ୍ରତିବର୍ଷ ଥରେ ରକ୍ତଚାପ, ରକ୍ତରେ ଶର୍କରା ପରୀକ୍ଷା, ଲିପିଡ୍ ପ୍ରୋଫାଇଲ୍, ଲିଭର ଓ କିଡନୀ ଫଙ୍କସନ୍ ଟେଷ୍ଟ, ଥାଇରଏଡ୍ ପରୀକ୍ଷା, ହିମୋଗ୍ଲୋବିନ୍, ଭିଟାମିନ୍-ଡି ଓ ଭିଟାମିନ୍-ବି୧୨ ପରୀକ୍ଷା କରାଇବା ଉଚିତ । ଏହା ସହିତ ଛାତିର ଏକ୍ସ-ରେ ଓ ପେଟର ଅଲ୍ଟ୍ରାସାଉଣ୍ଡ କରାଇଲେ ଲିଭର, କିଡନୀ କିମ୍ବା ଅନ୍ୟ ଅଙ୍ଗରେ ଥିବା ସମସ୍ୟା ଆଗୁଆ ଜଣାପଡ଼ିପାରେ । ବିଶେଷ କରି ମୋଟାପଣ, ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ପରିବାରରେ ହୃଦରୋଗର ଇତିହାସ ଥିଲେ ନିୟମିତ ପରୀକ୍ଷା ଅଧିକ ଜରୁରୀ । ଏହି ବର୍ଗର ଲୋକଙ୍କ ପାଇଁ ହୃଦଯନ୍ତ୍ରର ସ୍ଥିତି ଜାଣିବାକୁ ECG, ଇକୋକାର୍ଡିଓଗ୍ରାଫି ଏବଂ ଷ୍ଟ୍ରେସ୍ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଏ । ୪୦ ବର୍ଷ ପରେ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଆହୁରି ବଢ଼ାଇବା ଦରକାର । ଯେଉଁମାନଙ୍କର ହୃଦରୋଗର ଝୁମ୍ପ ଅଧିକ, ସେମାନଙ୍କୁ CT କୋରୋନାରୀ ଆଞ୍ଜିଓଗ୍ରାଫି ଓ CT କ୍ୟାଲସିୟମ୍ ସ୍କୋର ଟେଷ୍ଟ କରାଇବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । ଏହି ପରୀକ୍ଷା ହୃଦର ରକ୍ତନଳୀରେ ବ୍ଲକେଜ୍ ଥିଲେ ତାହା ଚିହ୍ନଟ କରିବାରେ ସାହାଯ୍ୟ କରେ ।
ମହିଳାମାନଙ୍କ କ୍ଷେତ୍ରରେ ସର୍ଭିକ୍ସ କ୍ୟାନ୍ସର ପାଇଁ ପ୍ୟାପ୍ ସ୍ମିୟର୍ ଟେଷ୍ଟ ଓ ୪୦ ବର୍ଷ ପରେ ପ୍ରତିବର୍ଷ ମ୍ୟାମୋଗ୍ରାଫି କରାଇବା ଦ୍ୱାରା ସ୍ତନ କ୍ୟାନ୍ସରକୁ ପ୍ରାରମ୍ଭିକ ଅବସ୍ଥାରେ ଧରାଯାଇପାରେ । ହାଡ଼ କ୍ଷୟ ଝୁମ୍ପ ଥିବା ମହିଳାଙ୍କ ପାଇଁ DEXA ବୋନ୍ ଡେନସିଟି ସ୍କାନ୍ ମଧ୍ୟ ଉପଯୋଗୀ । MRI ଓ CT ସ୍କାନ୍କୁ ନେଇ ମଧ୍ୟ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ବିଶେଷଜ୍ଞଙ୍କ ମତରେ, CT ସ୍କାନ୍ରେ ରେଡିଏସନ୍ ବ୍ୟବହୃତ ହେଉଥିବାରୁ ଏହାକୁ ସମସ୍ତଙ୍କ ପାଇଁ ଫୁଲ୍ ବଡି ସ୍କ୍ରିନିଂରେ ବ୍ୟବହାର କରାଯାଏ ନାହିଁ । ଅନ୍ୟପଟେ MRI ରେ ରେଡିଏସନ୍ ନଥାଏ ଏବଂ କିଛି ପରିସ୍ଥିତିରେ କ୍ୟାନ୍ସର ସ୍କ୍ରିନିଂ ପାଇଁ ଏହା ବ୍ୟବହୃତ ହୋଇପାରେ । ତେବେ କେଉଁ ପରୀକ୍ଷା କାହା ପାଇଁ ଉପଯୁକ୍ତ, ତାହା ବୟସ, ପରିବାରିକ ଇତିହାସ, ଲକ୍ଷଣ ଓ ଝୁମ୍ପକୁ ବିଚାର କରି ଡାକ୍ତରଙ୍କ ପରାମର୍ଶରେ ନିଷ୍ପତ୍ତି ନେବା ଉଚିତ । ମନେରଖନ୍ତୁ, ସମୟରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ସହଜ ହୁଏ ଏବଂ ଜୀବନ ବଞ୍ଚିବାର ସମ୍ଭାବନା ମଧ୍ୟ ବଢ଼ିଯାଏ । ତେଣୁ ବୟସ, ଜୀବନଶୈଳୀ ଓ ସ୍ୱାସ୍ଥ୍ୟ ଝୁମ୍ପ ଅନୁଯାୟୀ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ଏବଂ କୌଣସି ପରୀକ୍ଷା କରିବା ପୂର୍ବରୁ ଯୋଗ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସାମାନ୍ୟ ସତର୍କତା ଆପଣଙ୍କୁ ବଡ଼ ରୋଗରୁ ସୁରକ୍ଷିତ ରଖିପାରେ ।

