ପ୍ରଶ୍ନପତ୍ର ଲିକ୍‌ ପରେ ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ

ପୁଣି ଥରେ ଦେଶରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଆସିଛି। ଏଥର ମହାରାଷ୍ଟ୍ରରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି

ପୁଣି ଥରେ ଦେଶରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଆସିଛି। ଏଥର ମହାରାଷ୍ଟ୍ରରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଟିଇଟି ପରୀକ୍ଷା ରବିବାର (ଜୁନ୍‌ ୨୮ ତାରିଖରେ) ଅନୁଷ୍ଠିତ ହେବାକୁ ଥିଲା। ତେ‌ବେ ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ଥାଣେରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ପୁଲିସକୁ ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ସୂଚନା ମିଳିବା ପରେ ଥାଣେର ଭିୱାଣ୍ଡିରେ ଏକ ଅପରେସନ ପରେ ପ୍ରଶ୍ନପତ୍ର ଜବତ କରାଯାଇଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରାଯାଇଛି। କିନ୍ତୁ ସେମାନଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। 

ଶନିବାର ଜାରି ହୋଇଥିବା ଏକ ଆଧିକାରିକ ବିବୃତିରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ କହିଛି ଯେ, ରାଜ୍ୟର ୧୦୨୮ଟି କେନ୍ଦ୍ରରେ ଜୁନ୍ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଟିିଇଟି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ ଜଣାପଡ଼ିବା ପରେ ଏହାକୁ ସ୍ଥଗିତ ରଖାଯାଇଛି। ପରିଷଦ ଅନୁଯାୟୀ ଶନିବାର ପ୍ରତ୍ୟୁଷରେ ଗୋପନୀୟ ସୂଚନା ଉପରେ କାର୍ଯ୍ୟ କରି ଭିୱାଣ୍ଡି ପୁଲିସ ଏକ ସ୍ଥାନରେ ଚଢାଉ କରିଥିଲା ଯେଉଁଠାରେ କିଛି ବ୍ୟକ୍ତିଙ୍କଠାରୁ ସିଲ୍ ହୋଇଥିବା ପ୍ରଶ୍ନପତ୍ରର ପୃଷ୍ଠାଗୁଡ଼ିକ ମିଳିଥିଲା। ପରୀକ୍ଷା ପରିଷଦ ପରେ ସ୍ପଷ୍ଟ କରିଥିଲା ଯେ, ଜବତ ହୋଇଥିବା କାଗଜ ପ୍ରଶ୍ନପତ୍ରରେ ରହିଥିବା ପ୍ରଶ୍ନ ସହିତ ସମାନତା ରହିଛି। ଫଳରେ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ତଦନ୍ତ ସମାପ୍ତ ହେବା ଓ ପରିସ୍ଥିତିର ପୂର୍ଣ୍ଣ ମୂଲ୍ୟାୟନ ହେବା ପରେ ନୂତନ ପରୀକ୍ଷା ତାରିଖ ଘୋଷଣା କରାଯିବ।

ରାଜ୍ୟ ଶିକ୍ଷା ବିଭାଗ ଖୁବ୍‌ଶୀଘ୍ର ଏହି ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରି ପ୍ରେସ୍‌ ନୋଟ ଜାରି କରିବ। ସରକାରଙ୍କ ନିଷ୍ପତ୍ତି ହେବା ପରେ ପରୀକ୍ଷା ସମ୍ପର୍କିତ ସଂଶୋଧିତ କାର୍ଯ୍ୟକ୍ରମ ଘୋଷଣା କରାଯିବା ବୋଲି ଆଶା କରାଯାଇଛି। ପ୍ରଶ୍ନପତ୍ର କେମିତି ଲିକ୍‌ ହେଲା ଓ ଏହି ରାକେଟରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ପୁଲିସ ସେସବୁର ତଦନ୍ତ କରୁଛି।
ସମଗ୍ର ରାଜ୍ୟରେ ପାଖାପାଖି ୪ ଲକ୍ଷ ୨୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାପାଇଁ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରେ ୨ ଲକ୍ଷ ୨୬ ହଜାର ୨୬୩ ଏପରି ପରୀକ୍ଷାର୍ଥୀ ଥିଲେ, ଯେଉଁମାନେ ପୂର୍ବରୁ ଶିକ୍ଷକ ଚାକିରି କରୁଛନ୍ତି। ସେମାନେ ଶିକ୍ଷକ ଯୋଗ୍ୟତା ସାର୍ଟିଫକେଟ ପାଇବା ପାଇଁ ପରୀକ୍ଷା ଦେଉଥିଲେ। ତେବେ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଅନେକ ପ୍ରାର୍ଥୀଙ୍କ ଜୀବନ ଅନ୍ଧକାରକୁ ‌ଠେଲି ହୋଇଯାଇଛ। ଏହାପୂର୍ବରୁ ୨୦୨୫ରେ ମଧ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ମଧ୍ୟ ଲିକ୍‌ ହୋଇଥିଲା।

Leave a Reply

Your email address will not be published. Required fields are marked *