ଟେଷ୍ଟକୁ ଆଉ ଫେରିବିନି: କୋହଲି, ଟେଷ୍ଟ ରନ୍‌ ଅନୁସାରେ ରଖିଲେ ନିଜ ବ୍ରାଣ୍ଡ୍ ଜୋତାର ଦାମ

ଟେଷ୍ଟ କ୍ରିକେଟ୍‌କୁ ଫେରିବାର କୌଣସି ସମ୍ଭାବନା ନଥିବା କଥା ସ୍ପଷ୍ଟ କରିଛନ୍ତି ବିରାଟ କୋହଲି, କହିଛନ୍ତି ଯେ ସେ ଭକ୍ତମାନଙ୍କ ମନରେ ମିଥ୍ୟା ଆଶା ସୃଷ୍ଟି କରିବାକୁ ଚାହୁଁନାହାନ୍ତି।

ଟେଷ୍ଟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ସମ୍ଭାବନାକୁ ଖାରଜ କରିଦେଇଛନ୍ତି ବିରାଟ କୋହଲି। ସେ କହିଛନ୍ତି ଯେ ସେ ଲୋକଙ୍କ ମନରେ ଅଯଥା ଆଶା ସୃଷ୍ଟି କରିବାକୁ ଚାହୁନାହାନ୍ତି। ତାଙ୍କର ଟେଷ୍ଟ୍‌ କ୍ୟାରିୟର ଶେଷ ହୋଇଯାଇଛି, ଆଉ ଫେରିବାର ସମ୍ଭାବନା ନାହିଁ।ନିଜର ଜୋତା ବ୍ରାଣ୍ଡ ‘ଓ୍ବାନ୍‌-୮’ର ଉନ୍ମୋଚନ ଅବସରରେ ସେ ଖେଳରେ ନିଜର ଲଢୁଆ ଗୁଣ ସଂପର୍କରେ କହିଛନ୍ତି ଯେ କେବେବି ମ୍ୟାଚ୍‌ ହାତରୁ ଚାଲିଗଲା ବୋଲି ଭାବେ ନାହିଁ। ‘‘ଛୋଟ ବୟସରୁ ହିଁ ମୋ ଆଭିମୁଖ୍ୟ ଶେଷ ପର୍ୟ୍ୟନ୍ତ ଲଢିବା ରହିଆସିଛି। ମୁଁ କେବେ ବି ଭାବେ ନାହିଁ ଯେ ଆମେ ହାରିଯାଇଛୁ ଓ ଆଦୌ ଜିତିପାରିବୁ ନାହିଁ।

ଏପରି ସ୍ଥିତିରେ କିଛି ନା କିଛି ଚମତ୍କାର ଘଟେ।’’ ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ନିଜର ବିଖ୍ୟାତ ପାଳି ସମ୍ପର୍କରେ ସେ କହିଛନ୍ତି, “ମୋତେ କୁହାଯାଇଥିଲା ଯେ ଭାରତର ବିଜୟ ସମ୍ଭାବନା ମାତ୍ର ୩% ଥିଲା। କିନ୍ତୁ ମୁଁ ସେପରି ଭାବେ ନାହିଁ। ମାତ୍ର ୧% ବିଜୟ ସମ୍ଭାବନା ଥିଲେ ବି ମୁଁ ଭାବେ ଯେ ସୁଯୋଗ ଅଛି।’’ଗତ ବର୍ଷ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିବା କୋହଲି ଏହି ଫର୍ମାଟ୍‌ରେ ମୋଟ ୯୨୩୦ ରନ୍‌ କରିଛନ୍ତି। ଏହାକୁ ଦୃଷ୍ଟି ସେ ‘ଓ୍ବାନ୍‌-୮’ ବ୍ରାଣ୍ଡ୍‌ର ଏକ ସ୍ବତନ୍ତ୍ର ଜୋତାର ମୂଲ୍ୟ ୯୨୩୦ ଟଙ୍କା ରଖାଯାଇଛି। ଏହି ଜୋତାରେ ବିରାଟଙ୍କ ‘ଅଟୋଗ୍ରାଫ୍‌’ ରହିଛି। ଏହି ଜୋତାର ନାମ ରହିଛି ‘ସିମ୍‌ ୧୮ ସିଗ୍‌ନେଚର୍‌’।

Leave a Reply

Your email address will not be published. Required fields are marked *