ଶୀତଳଷଷ୍ଠୀ ବାଣ ହେଲା କାଳ! ସୋଫା ଗୋଦାମରେ ଭୟଙ୍କର ନିଆଁ

ଶୀତଳଷଷ୍ଠୀ ଉତ୍ସବର ଖୁସି ଭିତରେ ଘଟିଛି ଏକ ବଡ଼ ଅଘଟଣ । ଏକ ସୋଫା ତିଆରି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଶୀତଳଷଷ୍ଠୀ ଉତ୍ସବର ଖୁସି ଭିତରେ ଘଟିଛି ଏକ ବଡ଼ ଅଘଟଣ । ଏକ ସୋଫା ତିଆରି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ, ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତ ହୋଇଥିବା ବାଣ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଗୋଦାମ ଭିତରେ ବହୁ ପରିମାଣର ତୁଳା, ଫୋମ୍ ଏବଂ ସୋଫା ତିଆରି ସାମଗ୍ରୀ ମହଜୁଦ ଥିବାରୁ ନିଆଁ ଦେଖୁଦେଖୁ ଭୟଙ୍କର ରୂପ ନେଇଥିଲା । ମୁହୂର୍ତ୍ତକ ମଧ୍ୟରେ ଅଗ୍ନିଶିଖା ସମଗ୍ର ଗୋଦାମକୁ କବଳିତ କରିଥିଲା । ଘନ କଳା ଧୂଆଁ ଆକାଶକୁ ଉଠୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ । ଦାହ୍ୟ ସାମଗ୍ରୀ ଅଧିକ ଥିବାରୁ ନିଆଁକୁ ନିୟନ୍ତ୍ରଣ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା । ପରିସ୍ଥିତିର ଗୁରୁତ୍ୱକୁ ଦେଖି ଗୋଦାମର ଛାତ ଉପରର ଟିଣ ଖୋଲାଯାଇଥିଲା, ଯାହାଦ୍ୱାରା ଭିତରକୁ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇପାରିଥିଲା । ଘଣ୍ଟା ଘଣ୍ଟା ଧରି ଚାଲିଥିବା ଅପରେସନ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲା । ପରେ ଭିତରେ ଥିବା ତୁଳା ଓ ଅନ୍ୟାନ୍ୟ ସାମଗ୍ରୀକୁ ବାହାର କରାଯାଇଥିଲା । ସୂଚନା ଅନୁସାରେ, ଗୋଦାମରେ ପ୍ରାୟ ଦୁଇ ଟ୍ରିପ୍ ତୁଳା ମହଜୁଦ ଥିଲା, ଯାହାର ଅଧିକାଂଶ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *