ପୀଡ଼ିତା, ଯିଏକି ବୃତ୍ତିରେ ଜଣେ ପ୍ରପର୍ଟି ଡିଲର, ତାଙ୍କ ଅଭିଯୋଗ ଅନୁଯାୟୀ ଫେବୃଆରୀ ୮ତାରିଖ ୨୦୨୫ ରେ ଆୟାଜ ଜମି କିଣିବା ବାହାନାରେ ତାଙ୍କୁ ୱାର୍ଦ୍ଧା ରୋଡସ୍ଥିତ ଏକ ହୋଟେଲକୁ ଡକାଇଥିଲା। ସେଠାରେ ତାଙ୍କୁ ନିଶାଦ୍ରବ୍ୟ ମିଶ୍ରିତ ଜୁସ୍ ପିଆଇ ଅଚେତ ଅବସ୍ଥାରେ ଦୁଷ୍କର୍ମ କରାଯାଇଥିଲା

ମହାରାଷ୍ଟ୍ରର ନାଗପୁରରେ ଜଣେ ବାୟୁସେନା କର୍ମଚାରୀଙ୍କ ୨୪ ବର୍ଷୀୟା ପତ୍ନୀଙ୍କୁ ତାଙ୍କର ଜଣେ ପୁରୁଣା ସହପାଠୀ ଓ ତା’ର ସହଯୋଗୀମାନେ ମିଶି ଦୁଷ୍କର୍ମ, ବ୍ଲାକମେଲିଂ, କଳା ଯାଦୁ ପ୍ରୟୋଗ ଏବଂ ଜବରଦସ୍ତ ଧର୍ମାନ୍ତରୀକରଣ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏଫଆଇଆର୍ ଏବଂ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାଗପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ଆୟାଜ ମଦାରେ ଓ ତା’ର ସହଯୋଗୀ ଅମିନ ଶେଖକୁ ଗିରଫ କରିଛି। ଏହି ଜବରଦସ୍ତ ଧର୍ମାନ୍ତରୀକରଣ ଓ ‘ନିକାହ’ କରାଇଥିବା ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ତାମିଆ ଗ୍ରାମର ଅଭିଯୁକ୍ତ ମୌଲାନା (ହଜରତ ମୌଲାନା) କୁ ଗିରଫ କରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ପଡ଼ୋଶୀ ରାଜ୍ୟକୁ ପଠାଯାଇଛି। ପୋଲିସ ଏହି ମାମଲାରେ ଦୁଷ୍କର୍ମ, ବ୍ଲାକମେଲିଂ, ଓ ମହାରାଷ୍ଟ୍ରର କଳାଯାଦୁ ନିରୋଧୀ ଆଇନ ଅଧୀନରେ ସାଂଘାତିକ ଧାରା ଲଗାଇ ତଦନ୍ତ ଚଳାଇଛି।
