ବନ୍ଧ ସୁରକ୍ଷା ଆଇନ-୨୦୨୧ ଅନୁସାରେ ରାଜ୍ୟର ସମସ୍ତ ୨୧୮ଟି ବନ୍ଧର ସମନ୍ୱିତ ବନ୍ଧ ସୁରକ୍ଷା ମୂଲ୍ୟାଙ୍କନ (Comprehensive Dam Safety Evaluation-CDSE) ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ରାଜ୍ୟର ବନ୍ଧଗୁଡ଼ିକର ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଭିମୁଖ୍ୟ ଆହୁରି କଡ଼ା କରିଛନ୍ତି । ବନ୍ଧ ସୁରକ୍ଷା ଆଇନ-୨୦୨୧ ଅନୁସାରେ ରାଜ୍ୟର ସମସ୍ତ ୨୧୮ଟି ବନ୍ଧର ସମନ୍ୱିତ ବନ୍ଧ ସୁରକ୍ଷା ମୂଲ୍ୟାଙ୍କନ (Comprehensive Dam Safety Evaluation-CDSE) ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିପାଇଁ ବିଭାଗର under secretary ଅରତୀ ମଲ୍ଲିକ ମୁଖ୍ୟ ଯନ୍ତ୍ରୀ (ବନ୍ଧ ସୁରକ୍ଷା)ଙ୍କୁ ବିସ୍ତୃତ ନିର୍ଦ୍ଦେଶ ଜାରି କରିଛନ୍ତି ।
ଚିଠିରେ ଦର୍ଶାଯାଇଛି ଯେ, କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସହ ହୋଇଥିବା ଆଲୋଚନା ପରେ ରାଜ୍ୟ ସରକାର ୨୦୨୬ ଡିସେମ୍ବର ୩୧ ସୁଦ୍ଧା ୨୧୮ଟି ବନ୍ଧର ସୁରକ୍ଷା ମୂଲ୍ୟାଙ୍କନ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟର ଗତି ବଢ଼ାଇବା ସହ ନିୟମିତ ମନିଟରିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ଟି ସ୍ୱାଧୀନ ବିଶେଷଜ୍ଞ ପ୍ୟାନେଲ (IPoE) ଗଠନ ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଅବଶିଷ୍ଟ ୧୬୨ଟି ବନ୍ଧର ସୁରକ୍ଷା ମୂଲ୍ୟାଙ୍କନକୁ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ଶେଷ କରିବା ପାଇଁ ସଂଶୋଧିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି । ଜଳ ସମ୍ପଦ ବିଭାଗ ଏହି ନୂତନ ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛି ।
ବନ୍ଧ ସୁରକ୍ଷା ମୂଲ୍ୟାଙ୍କନ କାର୍ଯ୍ୟରେ କୌଣସି ପ୍ରକାର ବିଳମ୍ବ ନ ହେବା ପାଇଁ ତିନୋଟି ପ୍ରମୁଖ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ କୁହାଯାଇଛି। ପ୍ରଥମତଃ, ପ୍ରତି ମାସରେ ସିଡିଏସ୍ଇ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯିବ ଏବଂ ଏହାର ରିପୋର୍ଟ ଜଳ ସମ୍ପଦ ବିଭାଗକୁ ଦାଖଲ କରିବାକୁ ହେବ। ଦ୍ୱିତୀୟତଃ, ପ୍ରତ୍ୟେକ ବନ୍ଧ ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ସମନ୍ୱୟକାରୀ ଭାବେ ନିଯୁକ୍ତ କରାଯିବ ଏବଂ ସେମାନଙ୍କର ନାମ ଓ ପଦବି ସମ୍ବଳିତ ତାଲିକା ବିଭାଗକୁ ପଠାଇବାକୁ ହେବ ।
ସେହିପରି, ଯେଉଁ ୫୬ଟି ବନ୍ଧର ସମନ୍ୱିତ ସୁରକ୍ଷା ମୂଲ୍ୟାଙ୍କନ ରିପୋର୍ଟ ପ୍ରସ୍ତୁତ ହୋଇସାରିଛି, ସେଗୁଡ଼ିକର ଦାୟିତ୍ୱରେ ଥିବା ବନ୍ଧ ସୁରକ୍ଷା ଅଧିକାରୀମାନଙ୍କ ପାଇଁ ତୁରନ୍ତ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କର୍ମଶାଳା ଆୟୋଜନ କରିବାକୁ କୁହାଯାଇଛି। ଏହି କର୍ମଶାଳାରେ ମୂଲ୍ୟାଙ୍କନ ରିପୋର୍ଟରେ ଉଲ୍ଲେଖ ହୋଇଥିବା ବୈଷୟିକ ସୁପାରିସଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।
ଏହା ସହିତ, ପ୍ରତ୍ୟେକ ପରବର୍ତ୍ତୀ ମାସର ପ୍ରଥମ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଜଳ ସମ୍ପଦ ବିଭାଗକୁ ନିୟମିତ ଭାବେ ପଠାଇବାକୁ ଚିଠିରେ ସ୍ପଷ୍ଟ କରାଯାଇଛି। ବନ୍ଧ ସୁରକ୍ଷା ମୂଲ୍ୟାଙ୍କନ ସହ ରିପୋର୍ଟରେ ଦିଆଯାଇଥିବା ସୁପାରିସଗୁଡ଼ିକର କାର୍ଯ୍ୟକାରିତା ଉପରେ କଡ଼ା ନଜର ରଖିବା ମାଧ୍ୟମରେ ରାଜ୍ୟର ବନ୍ଧଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
