ରଥଖଳାରେ ଜୋରଦାର ପ୍ରସ୍ତୁତି , ତିନି ରଥର ଦୁଆର ବେଢ଼ା ନିର୍ମାଣ ଶେଷ

ରଥଯାତ୍ରା ପାଇଁ ରଥଖଳାରେ ଜୋରଦାର ଚାଲିଛି ପ୍ରସ୍ତୁତି । ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଦୁଆର ବେଢ଼ା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।

ରଥଯାତ୍ରା ପାଇଁ ରଥଖଳାରେ ଜୋରଦାର ଚାଲିଛି ପ୍ରସ୍ତୁତି । ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ଦୁଆର ବେଢ଼ା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ପଟା ବାଡ଼ିଆଠାରୁ ଆରମ୍ଭ କରି ବେଦୀ ସିଂହାସନ, ପ୍ରଭା, ଘୋଡ଼ା ଓ ସାରଥୀଙ୍କ ସଜ୍ଜା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ତିନି ରଥରେ ଚାରିଟି ଲେଖାଏଁ ମୋଟ ୧୨ଟି ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେହିପରି ପ୍ରତ୍ୟେକ ରଥ ପାଇଁ ୧୨ଟି କଣି ଫାଉଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି । ରଥର ଭୂଇଁର ଛଅ କାଠି କୋଣରେ ଏହି କଣି ଫାଉଡ଼ା ସ୍ଥାପନ କରାଯିବ, ଯାହାଦ୍ୱାରା ରଥରେ କନା ପଡ଼ିବାବେଳେ ଏହାର ଗୋଲାକାର ଆକୃତି ସଠିକ୍ ରହିବ ଏବଂ କନା ଚିରିବାର ଆଶଙ୍କା ରହିବ ନାହିଁ ।

ଏହା ସହ ତିନି ରଥର ବେଦୀ ଚାରିପଟେ ପାରୁସ ପଟା ବାଡ଼ିଆ କାର୍ଯ୍ୟ ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି । ଦୁଆର ବେଢ଼ା ସ୍ଥାପନ ପରେ ଅବଶିଷ୍ଟ କୋଣଗୁଡ଼ିକରେ ପଟା ପଡ଼ିବା କାମ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଖପୁରୀ ଓ ପାରାଭାଡ଼ି ସହ ବାକି ୧୨ଟି ପୋଟଳ ରଥ ଉପରକୁ ଉଠାଯିବ । ରଥରେ ବଡ଼ କଳସ ସ୍ଥାପନ, ଓଲଟ ଶୁଆ ଦ୍ୱୟଙ୍କ ସଂସ୍ଥାପନ, ବେଦୀ ସିଂହାସନ ପ୍ରସ୍ତୁତି, ପ୍ରଭା ଫ୍ରେମ୍ ନିର୍ମାଣ ଓ ରୂପ ଖୋଦେଇ କାର୍ଯ୍ୟ ମଧ୍ୟ ଜୋରଦାର ଭାବେ ଚାଲିଛି । ଏହା ସହ ଘୋଡ଼ା ଓ ସାରଥୀଙ୍କ ମରାମତି ଓ ରଙ୍ଗ କାମ, କନକ ମୁଣ୍ଡିରେ ପିତଳ ଚଦର ଫିଟିଂ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ, ରଥଖଳାରେ ମହାରଣା ଓ ସେବାୟତମାନଙ୍କ ବ୍ୟସ୍ତତା ଚରମରେ ପହଞ୍ଚିଛି । ମହାପ୍ରଭୁଙ୍କ ବିଶ୍ୱବିଖ୍ୟାତ ଘୋଷଯାତ୍ରା ପାଇଁ ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ପରମ୍ପରା ଓ ସମୟସୀମା ଅନୁଯାୟୀ ସମ୍ପନ୍ନ କରିବାକୁ ଜୋରଦାର ପ୍ରୟାସ ଜାରି ରହିଛି ।

Leave a Reply

Your email address will not be published. Required fields are marked *