ଦକ୍ଷିଣ ମେକ୍ସିକୋ ଏବଂ ଗୁଆଟେମାଲା ସୀମାନ୍ତରେ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି।
ଭୂକମ୍ପରେ ଦୋହଲିଲା ମେକ୍ସିକୋ, ରିକ୍ଟର ସ୍କେଲ୍ରେ ତୀବ୍ରତା ୭.୩ ରେକର୍ଡ । ସୁନାମି ସତର୍କତା ଜାରି କଲେ ସ୍ଥାନୀୟ ସରକାର । ଶୁକ୍ରବାର ଦକ୍ଷିଣ ମେକ୍ସିକୋ ଏବଂ ଗୁଆଟେମାଲା ସୀମାନ୍ତରେ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ମେକ୍ସିକୋ ସିଟିଠାରୁ ଆରମ୍ଭ କରି ଏଲ୍ ସାଲଭାଡୋର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଥରି ଉଠିଛି। ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଛନ୍ତି ।
ଏହି ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ଅତି ବିପଜ୍ଜନକ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଚିଆପାସ୍ ଉପକୂଳ ନିକଟ ଆକ୍ୱିଲ୍ସ ସେରଡାନ୍ ଠାରୁ ୪୮ କିଲୋମିଟର ଦକ୍ଷିଣ-ପଶ୍ଚିମରେ, ଭୂପୃଷ୍ଠରୁ ପ୍ରାୟ ୧୫ କିଲୋମିଟର ଗଭୀରତାରେ ବୋଲି କୁହାଯାଉଛି। ଗୁଆଟେମାଲା ସିଟି ଏବଂ ମେକ୍ସିକୋର ଦକ୍ଷିଣ ସୀମାରେ ଥିବା ତାପାଚୁଲା ସହରରେ ବଡ଼ ବଡ଼ କୋଠା ଗୁଡ଼ିକ ଅନେକ ସମୟ ପର୍ଯ୍ୟନ୍ତ ଦୋହଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ସରକାରୀ ହସ୍ପିଟାଲ୍ ଏବଂ ଆବାସିକ କୋଠା ଗୁଡ଼ିକରେ ଲୋକମାନେ ଆତଙ୍କିତ ହୋଇ ବାହାରକୁ ଚାଲିଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ସୂଚନା ମିଳିନାହିଁ, କିନ୍ତୁ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟରେ ରହିଛି ।
ଭୂମିକମ୍ପ ପରେ ଆମେରିକାର ସୁନାମି ସତର୍କତା ପ୍ରଣାଳୀ ପକ୍ଷରୁ ଏକ ବଡ଼ ଚେତାବନୀ ଦିଆଯାଇଛି। ଭୂମିକମ୍ପ କେନ୍ଦ୍ରର ୩୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବିପଜ୍ଜନକ ସୁନାମି ତରଙ୍ଗ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଦକ୍ଷିଣ ମେକ୍ସିକୋ ଏବଂ ଗୁଆଟେମାଲା ଉପକୂଳରେ ସମୁଦ୍ର ଲହରୀ ୩ ଫୁଟ ପର୍ଯ୍ୟନ୍ତ ଉଠିବାର ଆଶଙ୍କା ରହିଛି। ନିକଟରେ ଭେନେଜୁଏଲାରେ ଆସିଥିବା ଦୁଇଟି ଭୟଙ୍କର ଭୂମିକମ୍ପ ଯୋଗୁଁ ସେଠାରେ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇପଡ଼ିଛି। ୭.୨ ଏବଂ ୭.୫ ତୀବ୍ରତାର ଏହି ଦୁଇଟି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪ହଜାର ୭୦୦ ଟପିଥିବା ବେଳେ ପ୍ରାୟ ୧୭ ହଜାର ଲୋକ ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୫୦ହଜାର ଲୋକ ନିଖୋଜ ରହିଛନ୍ତି ।

