ବିଶ୍ୱକୁ ଲୁଚାଇ ବିବାହ, ଏବେ ସାମ୍ନାକୁ ଆସିଲା ରୋନାଲ୍ଡୋଙ୍କ ୱେଡିଂ ଲୁକ୍‌

ଫୁଟବଲ୍‌ ଦୁନିଆର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଜର୍ଜିନା ରୋଡ୍ରିଗେଜ୍‌ଙ୍କ ବିବାହକୁ ନେଇ ଏବେ ସାମ୍ନାକୁ ଆସିଛି ନୂଆ ଖବର । ଦୀର୍ଘଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିଥିବା ଏହି ଷ୍ଟାର୍‌ ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ପ୍ରକାଶ କରିଛି Vogue ।

ଫୁଟବଲ୍‌ ଦୁନିଆର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଜର୍ଜିନା ରୋଡ୍ରିଗେଜ୍‌ଙ୍କ ବିବାହକୁ ନେଇ ଏବେ ସାମ୍ନାକୁ ଆସିଛି ନୂଆ ଖବର । ଦୀର୍ଘଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିଥିବା ଏହି ଷ୍ଟାର୍‌ ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ପ୍ରକାଶ କରିଛି Vogue । ଅଗଷ୍ଟ ୧୧ ତାରିଖରେ ପର୍ତ୍ତୁଗାଲ୍‌ର କାସକାଇସ୍‌ସ୍ଥିତ ନିଜ ଘରେ ଅତ୍ୟନ୍ତ ସାଧାରଣ ଓ ଅନ୍ତରଙ୍ଗ ଭାବେ ଦୁହେଁ ବିବାହ କରିଥିଲେ ।

ବିଶେଷ କଥା ହେଉଛି, ରୋନାଲ୍ଡୋ ଓ ଜର୍ଜିନାଙ୍କ ପ୍ରଥମ ସାକ୍ଷାତର ଠିକ୍‌ ୧୦ ବର୍ଷ ପରେ ଏହି ବିବାହ ହୋଇଛି । ୨୦୧୬ରେ ମାଡ୍ରିଡ୍‌ର ଏକ ଗୁଚ୍ଚି ଷ୍ଟୋର୍‌ରେ ଜର୍ଜିନା କାମ କରୁଥିବା ସମୟରେ ଦୁହିଁଙ୍କ ପ୍ରଥମ ଦେଖା ହୋଇଥିଲା । ଛୋଟବେଳେ ଜର୍ଜିନା ଏକ ବଡ଼ ଦୁର୍ଗ, ରାଜକୀୟ ଗାଡ଼ି ଓ ହୀରା ମୁକୁଟ ସହ ଧୁମଧାମରେ ବିବାହ କରିବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ସମୟ ସହ ତାଙ୍କ ପସନ୍ଦ ବଦଳିଛି। ଏବେ ସେ ନିଜ ସାଥୀ ଓ ପିଲାମାନଙ୍କ ସହ ଘରେ ଏକ ଶାନ୍ତ ଓ ନିଜସ୍ୱ ବିବାହ ଚାହୁଁଥିଲେ।

ଅଗଷ୍ଟ ୧୧ ଦିନ ଦିନ ୧ଟା ୩୦ରେ ବିବାହ ହୋଇଥିଲା । ସମାରୋହରେ ଦମ୍ପତିଙ୍କ ୫ ସନ୍ତାନଙ୍କ ସହ ମାତ୍ର ୪ ଜଣ ସାକ୍ଷୀ ଉପସ୍ଥିତ ଥିଲେ । ରୋନାଲ୍ଡୋ ହାଲୁକା ରଙ୍ଗର ସୁଟ୍‌ ଓ ଧଳା ସାର୍ଟ ପିନ୍ଧିଥିବା ବେଳେ ଜର୍ଜିନା ଧଳା ସ୍କର୍ଟ ଓ ଜ୍ୟାକେଟ୍‌ରେ ନଜର ଆସିଥିଲେ। ବିବାହ ପରେ ଦୁହେଁ ଏକ ଧାର୍ମିକ ସମାରୋହରେ ମଧ୍ୟ ଯୋଗ ଦେଇଥିଲେ ।
ଏହି ବିବାହ ଫଟୋ ସହ ରୋନାଲ୍ଡୋଙ୍କ ଅବସର ଚର୍ଚ୍ଚା ମଧ୍ୟ ଜୋର ଧରିଛି । Vogueକୁ ସାକ୍ଷାତକାର ଦେଇ ୪୧ ବର୍ଷୀୟ ରୋନାଲ୍ଡୋ କହିଛନ୍ତି, “ଏହା ବୋଧହୁଏ ମୋ ଫୁଟବଲ୍‌ ଜୀବନର ଶେଷ ବର୍ଷ ।” ତେବେ ସେ ଅବସର ଘୋଷଣା କରିନାହାନ୍ତି ।

ରୋନାଲ୍ଡୋ କହିଛନ୍ତି, ଫୁଟବଲ୍‌ ପରେ ତାଙ୍କ ଭବିଷ୍ୟତ ପାଇଁ ଅନେକ ଯୋଜନା ରହିଛି । ପରିବାର ସହ ଅଧିକ ସମୟ ବିତାଇବା, ଭ୍ରମଣ କରିବା ଓ ପାଡେଲ୍‌ ଖେଳିବା ଭଳି କାର୍ଯ୍ୟରେ ସମୟ ଦେବାକୁ ସେ ଚାହୁଁଛନ୍ତି । ୨୫ ବର୍ଷର ଫୁଟବଲ୍‌ କ୍ୟାରିୟରରେ ବହୁତ ତ୍ୟାଗ କରିଥିବା କହିଛନ୍ତି ରୋନାଲ୍ଡୋ । ବର୍ତ୍ତମାନ ସେ ପର୍ତ୍ତୁଗାଲ୍‌ର ଅଧିନାୟକ ଭାବେ ଖେଳୁଥିବା ସହ ଅଲ୍‌ ନାସର୍‌ର ମୁଖ୍ୟ ଖେଳାଳି ଅଛନ୍ତି ।

Leave a Reply

Your email address will not be published. Required fields are marked *