ଦୁର୍ଗମ ଗାଁରୁ ମେଡିକାଲ କଲେଜ୍, ନିଟ୍ ପାସ୍ କରି ଇତିହାସ ରଚିଲେ ମଙ୍ଗଳା

ଓଡ଼ିଶାର ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ପ୍ରେରଣାଦାୟୀ ଖବର । ବଣ୍ଡା ଜନଜାତିର ୧୯ ବର୍ଷୀୟ ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଇତିହାସ ରଚିଛନ୍ତି ।

ଓଡ଼ିଶାର ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ପ୍ରେରଣାଦାୟୀ ଖବର । ବଣ୍ଡା ଜନଜାତିର ୧୯ ବର୍ଷୀୟ ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଇତିହାସ ରଚିଛନ୍ତି । ବଣ୍ଡା ଜନଜାତିରୁ ଏମବିବିଏସ୍ ପଢ଼ିବା ପାଇଁ ନିଟ୍ ଉତ୍ତୀର୍ଣ୍ଣ ହେବାରେ ସେ ପ୍ରଥମ ବ୍ୟକ୍ତି ବୋଲି ଖବର ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲାର ବଡ଼ବେଲ ଗାଁର ଏକ ସୀମାନ୍ତ କୃଷକ ପରିବାରରୁ ଆସିଛନ୍ତି ମଙ୍ଗଳା । ତାଙ୍କ ସଫଳତା ପଛରେ ରହିଛି ଅଦମ୍ୟ ପରିଶ୍ରମ ସହ ତାଙ୍କ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କ ସହଯୋଗ। ମୁଦୁଲିପଡ଼ା ଏସଏସଡି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭାବେ ମଙ୍ଗଳାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଉତ୍କଳ କେଶରୀ ।

ନିଟ୍ ପାଇଁ ପ୍ରସ୍ତୁତି ନିମନ୍ତେ ଶିକ୍ଷକ ତାଙ୍କୁ ବାଲେଶ୍ୱରର ଏକ କୋଚିଂ ସେଣ୍ଟରକୁ ପଠାଇଥିଲେ। ଏପରିକି ମଙ୍ଗଳାଙ୍କୁ ମୋବାଇଲ ଫୋନ୍ ଓ ପାଠପଢ଼ା ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା । ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ କୋଚିଂ ସେଣ୍ଟର ପକ୍ଷରୁ ୧ ଲକ୍ଷ ୨୦ ହଜାର ଟଙ୍କାର ସମ୍ପୂର୍ଣ୍ଣ କୋଚିଂ ଫି ଛାଡ଼ କରାଯାଇଥିଲା । ଏବେ ମଙ୍ଗଳା ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଏମବିବିଏସ୍ ପଢ଼ିବେ । ତେବେ ମଙ୍ଗଳାଙ୍କ ସ୍ୱପ୍ନ କେବଳ ଡାକ୍ତର ହେବା ନୁହେଁ । ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅଭାବ ଯୋଗୁଁ ଲୋକେ ଭୋଗୁଥିବା ସମସ୍ୟାକୁ ସେ ନିଜ ଆଖିରେ ଦେଖିଛନ୍ତି । ଗାଁର ଲୋକଙ୍କୁ ଚିକିତ୍ସା ପାଇଁ ମାଇଲ୍ ମାଇଲ୍ ଚାଲିବାକୁ ପଡ଼ୁଥିବାରୁ ନିଜ ସମ୍ପ୍ରଦାୟ ପାଇଁ କାମ କରିବାକୁ ମଙ୍ଗଳାଙ୍କ ଇଚ୍ଛା ।

ସୀମିତ ସୁବିଧା ଓ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ମଙ୍ଗଳାଙ୍କ ଏହି ସଫଳତା ଆଜି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା । ଶିକ୍ଷାର ସୁଯୋଗ ମିଳିଲେ ଦେଶର ଅବହେଳିତ ଓ ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ନିଜ ସ୍ୱପ୍ନ ପୂରଣ କରିପାରିବେ, ମଙ୍ଗଳାଙ୍କ କାହାଣୀ ଏହାର ଏକ ବଡ଼ ଉଦାହରଣ ।

Leave a Reply

Your email address will not be published. Required fields are marked *