ଝାରସୁଗୁଡ଼ାର ବିଭିନ୍ନ ମହାବିଦ୍ୟାଳୟରେ କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା ପରେ ଆର୍ଥିକ ଚାପ ବଢ଼ିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଛାତ୍ରଛାତ୍ରୀଙ୍କଠାରୁ ମିଳୁଥିବା ବାର୍ଷିକ ୫ରୁ ୬ ହଜାର ଟଙ୍କା ଫିରେ କଲେଜର ଦରମା, ଇପିଏଫ୍, ବିଦ୍ୟୁତ ବିଲ୍ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଚାଲୁଥିଲା।
କେଜିରୁ ପିଜି ମାଗଣା ଶିକ୍ଷାର କଳା ଦିଗ । ଆର୍ଥିକ ସଂକଟ ସହ ଯୁଝୁଛନ୍ତି ବହୁ କଲେଜ । ସରକାରଙ୍କ କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା ଝାରୁସୁଗଡ଼ାର ବହୁ ମହାବିଦ୍ୟାଳୟକୁ ଆର୍ଥିକ ସଂକଟ ଭିତରକୁ ଠେଲି ଦେଇଛି। ସରକାରଙ୍କ ଘୋଷଣା ପରେ ପିଲାଙ୍କ ଠାରୁ ଫି ନିଆଯାଉନି। ସରକାରୀ ଅନୁଦାନ ଆସିବାରେ ବି ବିଳମ୍ୱ ହେଉଛି। ଏହାର ସିଧା ପ୍ରଭାବ ପଡ଼ୁଛି କଲେଜ୍ର ରକ୍ଷଣାବେକ୍ଷଣ ଓ ମ୍ୟାନେଜମେଣ୍ଟ ଷ୍ଟାଫ୍ଙ୍କ ଦରମା ଉପରେ ।
ପୂର୍ବରୁ ପିଲାଙ୍କଠାରୁ ବାର୍ଷିକ ୫ରୁ ୬ ହଜାର ଟଙ୍କା ଫି ନିଆଯାଉଥିଲା। ସେହି ଟଙ୍କାରେ କଲେଜ ଷ୍ଟାଫଙ୍କ ଦରମା, ଇପିଏଫ, ବିଦ୍ୟୁତ ବିଲ୍, ଉନ୍ନୟନ କାମ କରାଯାଉଥିଲା। କିଛି ମହାବିଦ୍ୟାଳୟର ନିଜସ୍ୱ ପାଣ୍ଠି ଅଛି, କିନ୍ତୁ ଅନୁଦାନ ଆସିବାରେ ବିଳମ୍ୱ ହେଲେ ସେହି ପାଣ୍ଠି ବି ସରିଯିବା ଆଶଙ୍କା ରହିଛି । ଝାରସୁଗୁଡ଼ାର କଲେଜ୍ ଗୁଡ଼ିକର ଆର୍ଥିକ ସଂକଟ ଓ କଲେଜ ଚଳାଇବା ଚାପ ଦେଇ ଗତି କରୁଛନ୍ତି ।
ସେପଟେ ମହାବିଦ୍ୟାଳୟଗୁଡ଼ିକ ଆର୍ଥିକ ଚାପରେ ଥିବା ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ। ତଥାପି ନିଜ ଆଡ଼ୁ ଯାଞ୍ଚ କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଝାରସୁଗୁଡ଼ାରେ ଗୋଟିଏ ବି ସରକାରୀ କଲେଜ ନଥିବା ବେଳେ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ଭରସା ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ, ଅନୁଦାନପ୍ରାପ୍ତ କଲେଜ ଓ ବ୍ଲକ୍ ଗ୍ରାଣ୍ଟ କଲେଜ୍। ଗୋଟିଏପଟେ ପିଲାଙ୍କ ଠାରୁ ଫି ଆଦାୟ ନକରିବାକୁ ନିର୍ଦ୍ଦେଶ ଅନ୍ୟପଟେ ଅନୁଦାନ ଅଭାବର ଅଦୃଶ୍ୟ ଚାପ। ଏହି ଦୁଇଟି ଭିତରେ ପେଶି ହେଉଛି ଝାରସୁଗୁଡ଼ାର ଉଚ୍ଚଶିକ୍ଷା ବ୍ୟବସ୍ଥା।

