କଟକ ହାଇକୋର୍ଟ ବୋମା ଧମକ ମାମଲା: ସନ୍ଦିଗ୍ଧ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଲିଙ୍କ୍ ଖୋଜା ଜାରି

ସେ ବର୍ତ୍ତମାନ ତାମିଲନାଡୁର ଏକ ଜେଲରେ ଥିବାରୁ କଟକ ପୁଲିସ ସିଧାସଳଖ ପଚରାଉଚରା କରିପାରିନଥିଲା । ତେଣୁ କଟକ ହାଇକୋର୍ଟ ବୋମା ଧମକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ତାମିଲନାଡୁ ପୁଲିସ ଓ ଏଟିଏସକୁ ହସ୍ତାନ୍ତର କରାଯାଇଛି ।

କଟକ ହାଇକୋର୍ଟ ବୋମା ଧମକ ମାମଲାରେ ନୂଆ ମୋଡ଼ । ଇମେଲ ଯୋଗେ ବାରମ୍ବାର କୋର୍ଟକୁ ବୋମା ଧମକ ମିଳୁଥିବାବେଳେ ଏ ନେଇ କମିସନରେଟ୍‌ ପୁଲିସ ତଦନ୍ତ ଜାରି ରଖିଥିଲା । ଏହି ମେଲ୍ କିଏ ଏବଂ କେଉଁଠାରୁ ଆସୁଛି, ସେ ନେଇ ସୁରାକ୍‌ ପାଇ କଟକ ପୁଲିସ ଟିମ୍‌ ତାମିଲନାଡ଼ୁ ପହଞ୍ଚିଥିଲା, ଯାହାପରେ ଏହି ମାମଲାର ତଦନ୍ତ କରି ଟିମ୍ ତାମିଲନାଡୁ ଗସ୍ତରୁ ଫେରିଛି । ନିକଟରେ ତାମିଲନାଡୁ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ATS) ଚେନ୍ନାଇ ବିମାନବନ୍ଦରରୁ ଗିରଫ କରିଥିବା ସଫ୍ଟୱେୟାର ଇଞ୍ଜିନିୟର ଶରତ ସୁବ୍ରମଣ୍ୟମ୍ ଶଙ୍କରଙ୍କ ସହ ଏହି ମାମଲାର କୌଣସି ସମ୍ପର୍କ ରହିଛି କି ନାହିଁ, ତାହାର ତଦନ୍ତ ପାଇଁ ପୁଲିସ ଏହି ଗସ୍ତ କରିଥିଲା ।

ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟକୁ ବୋମା ଧମକ ଇ-ମେଲ୍ ପଠାଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ଶରତଙ୍କୁ ଗତ ଜୁଲାଇ ୨୨ ତାରିଖରେ ତାମିଲନାଡୁ ଏଟିଏସ୍‌ ଗିରଫ କରିଥିଲା । ସେ ବର୍ତ୍ତମାନ ତାମିଲନାଡୁର ଏକ ଜେଲରେ ଥିବାରୁ କଟକ ପୁଲିସ ସିଧାସଳଖ ପଚରାଉଚରା କରିପାରିନଥିଲା । ତେଣୁ କଟକ ହାଇକୋର୍ଟ ବୋମା ଧମକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ତାମିଲନାଡୁ ପୁଲିସ ଓ ଏଟିଏସକୁ ହସ୍ତାନ୍ତର କରାଯାଇଛି ।
ରିପୋର୍ଟରୁ ଜଣାପଡ଼ିଛି, କଟକ ହାଇକୋର୍ଟ ବୋମା ଧମକ ମାମଲାରେ ଶରତଙ୍କ ସମ୍ପୃକ୍ତି ନେଇ ଗଭୀର ଖୋଳତାଡ଼ ଚାଲିଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ।

ଉଲ୍ଲେଖଯୋଗ୍ୟ, ସରତ ସୁବ୍ରମଣ୍ୟମ୍ ଶଙ୍କର ତାମିଲନାଡୁର ତିରୁନେଲଭେଳି ଜିଲ୍ଲାର ଆମ୍ବାସମୁଦ୍ରମ ଅଞ୍ଚଳର ବାସିନ୍ଦା । ସେ ଆମେରିକାର ଟେକ୍ସାସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ । ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହେବା ପରେ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ବୋମା ଧମକ ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *