ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ୟୁକ୍ରେନରେ ଶୋକ ଓ ଉତ୍ତେଜନା ଦେଖାଦେଇଛି । ୟୁକ୍ରେନୀୟ ରେଳବାଇ ପକ୍ଷରୁ ଟେଲିଗ୍ରାମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଡନିପ୍ରୋରୁ ଜାପୋରିଜିଆ ଯିବାକୁ ଥିବା ୮୬୬ ନମ୍ବର ବିଶିଷ୍ଟ ଏକ ଇଲେକ୍ଟ୍ରିକ୍ ଯାତ୍ରୀବାହୀ ଟ୍ରେନ୍ ଷ୍ଟେସନର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା ।
ୟୁକ୍ରେନରେ ରୁଷର ଆକ୍ରମଣ ଥମିବାର ନାଁ ନେଉନାହିଁ । ଡନିପ୍ରୋ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଭୟଙ୍କର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ୟୁକ୍ରେନରେ ଶୋକ ଓ ଉତ୍ତେଜନା ଦେଖାଦେଇଛି । ୟୁକ୍ରେନୀୟ ରେଳବାଇ ପକ୍ଷରୁ ଟେଲିଗ୍ରାମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଡନିପ୍ରୋରୁ ଜାପୋରିଜିଆ ଯିବାକୁ ଥିବା ୮୬୬ ନମ୍ବର ବିଶିଷ୍ଟ ଏକ ଇଲେକ୍ଟ୍ରିକ୍ ଯାତ୍ରୀବାହୀ ଟ୍ରେନ୍ ଷ୍ଟେସନର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା । ଏହି ସମୟରେ ରୁଷ ପକ୍ଷରୁ ଆସିଥିବା ଜେଟ୍ଚାଳିତ ଡ୍ରୋନ୍ ଟ୍ରେନ୍କୁ ଧକ୍କା ଦେଇଥିଲା । ଫଳରେ ଷ୍ଟେସନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଆକ୍ରମଣ ସମୟରେ ପ୍ଲାଟଫର୍ମରେ ଯାତ୍ରୀ ଉପସ୍ଥିତ ଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହି ଆକ୍ରମଣକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସାଧାରଣ ନାଗରିକଙ୍କ ଉପରେ ଏଭଳି ଆକ୍ରମଣକୁ ସେ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ସମୁଦାୟର ଦୃଢ଼ ପଦକ୍ଷେପ ଦାବି କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଜେଲେନସ୍କି ପ୍ରଶ୍ନ ଉଠାଇଛନ୍ତି ଯେ, ରୁଷର କେତେକ ଶକ୍ତି କ୍ଷେତ୍ର ଉପରୁ ପ୍ରତିବନ୍ଧକ ହଟାଯିବା ପରେ ମଧ୍ୟ ରୁଷ କାହିଁକି ନିଜର ଆକ୍ରମଣାତ୍ମକ ମନୋଭାବ ଜାରି ରଖିଛି ? ଅନ୍ୟପକ୍ଷରେ, ଡନିପ୍ରୋର ମେୟର ବୋରିସ୍ ଫିଲାଟୋଭ୍ ଏହି ଘଟଣାକୁ ସହର ପାଇଁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି ।

