୧୯୮୯ ମସିହାର ତିଆନାନମେନ୍ ସ୍କୋୟାର୍ ଗଣହତ୍ୟା ସ୍ମରଣୋତ୍ସବର ଦୁଇଜଣ ପ୍ରମୁଖ ଆୟୋଜକଙ୍କୁ ଚୀନର କମ୍ୟୁନିଷ୍ଟ ଶାସନ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରାଯାଇଛି।
୧୯୮୯ ମସିହାର ତିଆନାନମେନ୍ ସ୍କୋୟାର୍ ଗଣହତ୍ୟା ସ୍ମରଣୋତ୍ସବର ଦୁଇଜଣ ପ୍ରମୁଖ ଆୟୋଜକଙ୍କୁ ଚୀନର କମ୍ୟୁନିଷ୍ଟ ଶାସନ ବିରୋଧରେ ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରାଯାଇଛି। ”ହଂକଂ ଆଲାଏନ୍ସ”ର ପୂର୍ବତନ ନେତା ଲି ଚିଉକ୍-ୟାନ୍ ଏବଂ ଚୌ ହାଙ୍ଗ-ତୁଙ୍ଗଙ୍କୁ ଚୀନ୍ ଦ୍ୱାରା ଲାଗୁ କରାଯାଇଥିବା ଜାତୀୟ ସୁରକ୍ଷା ଆଇନ ଅଧୀନରେ ବିଚାରପତିମାନେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ସେମାନଙ୍କୁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ।
ଅଦାଲତଙ୍କ ଅନୁସାରେ, ଏହି ସଂଗଠନର “ଏକଚାଟିଆ ଶାସନର ଅନ୍ତ” ଆହ୍ୱାନ କେବଳ ସମ୍ବିଧାନ ଅଧୀନରେ ବହୁଦଳୀୟ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ନଥିଲା, ବରଂ କମ୍ୟୁନିଷ୍ଟ ପାର୍ଟିର ଶାସନକୁ ଉଚ୍ଛେଦ କରିବା ପାଇଁ ଉଦ୍ଦିଷ୍ଟ ଥିଲା।
ଅପରପକ୍ଷରେ, ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ଏହା ଏକଚାଟିଆ ଶାସନ ବଦଳରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ ଥିଲା ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ହଂକଂରେ ପ୍ରତିବର୍ଷ ଜୁନ୍ ୪ ରେ ତିଆନାନମେନ୍ ଘଟଣାର ସ୍ମରଣୋତ୍ସବ ଆୟୋଜନ କରାଯାଉଥିଲା, ଯାହା ଚୀନ୍ ମାଟିରେ ଏହିପରି ଏକମାତ୍ର ବଡ଼ କାର୍ଯ୍ୟକ୍ରମ ଥିଲା। ତେବେ ୨୦୨୦ ମସିହାରେ କୋଭିଡ୍ କଟକଣା ଏବଂ ନୂତନ ଜାତୀୟ ସୁରକ୍ଷା ଆଇନ ଲାଗୁ ହେବା ପରଠାରୁ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯିବା ସହ ଅନେକ ଗଣତାନ୍ତ୍ରିକ ସଂଗଠନକୁ ଭାଙ୍ଗି ଦିଆଯାଇଛି। ଏହି ରାୟକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ହଂକଂର ଅଭିବ୍ୟକ୍ତି ସ୍ୱାଧୀନତା ହ୍ରାସ ପାଉଥିବା ନେଇ ଚିନ୍ତା ପ୍ରକାଶ ପାଇଛି।

