ବ୍ରିଟିଶ କଲମ୍ବିଆ ସରକାରଙ୍କ ପକ୍ଷରୁ ସାନ ଫ୍ରାନ୍ସିସ୍କୋର ଫେଡେରାଲ କୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ, ଆକ୍ରମଣକାରୀ ପୂର୍ବରୁ ଚାଟ୍ଜିପିଟିରେ ହିଂସାତ୍ମକ ଧମକ ଦେଇଥିଲେ ମଧ୍ୟ କମ୍ପାନି ସେ ବିଷୟରେ ପୁଲିସକୁ ଜଣାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।
ଟମ୍ବଲର୍ ରିଜ୍ ସ୍କୁଲ ଗୁଳିକାଣ୍ଡ ଘଟଣାରେ ଜୀବନ ପ୍ରତି ବିପଦପୂର୍ଣ୍ଣ ଧମକକୁ ଅଣଦେଖା କରିଥିବା ଅଭିଯୋଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କମ୍ପାନି ଓପନଏଆଇ (OpenAI) ଏବଂ ଏହାର ସିଇଓ ସାମ୍ ଅଲ୍ଟମ୍ୟାନ୍ଙ୍କ ବିରୋଧରେ କାନାଡାରେ ମାମଲା ଦାୟର ହୋଇଛି । ବ୍ରିଟିଶ କଲମ୍ବିଆ ସରକାରଙ୍କ ପକ୍ଷରୁ ସାନ ଫ୍ରାନ୍ସିସ୍କୋର ଫେଡେରାଲ କୋର୍ଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ, ଆକ୍ରମଣକାରୀ ପୂର୍ବରୁ ଚାଟ୍ଜିପିଟିରେ ହିଂସାତ୍ମକ ଧମକ ଦେଇଥିଲେ ମଧ୍ୟ କମ୍ପାନି ସେ ବିଷୟରେ ପୁଲିସକୁ ଜଣାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଏହି ଅବହେଳା ପାଇଁ ବ୍ରିଟିଶ କଲମ୍ବିଆ ପ୍ରଶାସନ ଓପନଏଆଇଠାରୁ ଜରୁରୀକାଳୀନ ସହାୟତା ଓ କ୍ଷତିପୂରଣ ଦାବି କରିବା ସହ ହିଂସାତ୍ମକ ବାର୍ତ୍ତା ଚିହ୍ନଟ କରିବା ବ୍ୟବସ୍ଥାରେ ସୁଧାର ଆଣିବାକୁ ନିର୍ଦ୍ଦେଶ ମାଗିଛି ।
ଗତ ୧୦ ଫେବ୍ରୁଆରିରେ ଘଟିଥିବା ଏହି ବର୍ବରୋଚିତ ଆକ୍ରମଣରେ ସ୍କୁଲର ୧୮ ବର୍ଷୀୟା ପୂର୍ବତନ ଛାତ୍ରୀ ଜେସି ଭାନ୍ ରୁଟସ୍ଲାର୍ ପ୍ରଥମେ ନିଜ ଘରେ ମାଆ ଓ ସାବତ ଭାଇଙ୍କୁ ହତ୍ୟା କରିବା ପରେ ସ୍କୁଲରେ ପହଞ୍ଚି ୫ ଜଣ ଶିଶୁ ଏବଂ ଜଣେ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ସେ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ସମୁଦାୟ ଆଠ ଜଣଙ୍କର ପ୍ରାଣହାନି ଘଟିଥିଲା, ଯାହାକୁ କାନାଡାର ସବୁଠାରୁ ଭୟଙ୍କର ଗଣ-ଗୁଳିକାଣ୍ଡ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି । ଚାଟ୍ଜିପିଟିର ସୁରକ୍ଷା ଦଳ ଅଭିଯୁକ୍ତଙ୍କ ବନ୍ଧୁକ ଓ ହିଂସାତ୍ମକ ବାର୍ତ୍ତାଳାପ ବିଷୟରେ ଜାଣିବା ସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

