ରାଷ୍ଟ୍ରପତି ହସି କହିଥିଲେ, “ତାହାହେଲେ ମୋର ଗୋଟିଏ ଭାବନା ଅଛି। ଆପଣ ସୁସ୍ଥ ହେବା ପରେ ମୁଁ ଆପଣଙ୍କ ସହ ଗୋଟିଏ ସେସନ୍ କରିବାକୁ ଚାହୁଁଛି। ସେଥିରେ ଆପଣଙ୍କୁ କେମିତି ଲଢ଼ିବାକୁ ହୁଏ, ତାହା ଶିଖାଇବି।”
ଆକାଶରେ ୧୭୪ ଯାତ୍ରୀଙ୍କ ଜୀବନ ବିପଦରେ ଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ସାହସର ପରିଚୟ ଦେଇଥିଲେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଛାର। ତାଙ୍କର ଅଦମ୍ୟ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇଛି ସଂଯୁକ୍ତ ଆରବ ଏମିରେଟ୍ସ । ତାଙ୍କୁ UAEର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ଫାର୍ଷ୍ଟ କ୍ଲାସ୍ ଅର୍ଡର ଅଫ୍ ଜାୟେଦ୍-୨’ରେ ସମ୍ମାନିତ କରାଯାଇଛି। ସମ୍ମାନ ସମାରୋହରେ UAE ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ଆହତ ପାଇଲଟ୍ଙ୍କୁ ଆଲିଙ୍ଗନ କରିଥିଲେ। ତାଙ୍କ ବାମ ହାତରେ ବନ୍ଧା ହୋଇଥିବା ମୋଟା ପଟି ଓ ମୁଣ୍ଡରେ ଆଘାତ ଚିହ୍ନ ଦେଖି ରାଷ୍ଟ୍ରପତି ପଚାରିଥିଲେ, ସେ କେତେ ଦିନରେ ସୁସ୍ଥ ହେବେ? ଏହାର ଉତ୍ତରରେ କ୍ୟାପ୍ଟେନ୍ ସ୍ମିତ କହିଥିଲେ, ସମ୍ଭବତଃ ଦୁଇ ମାସ ଲାଗିବ।
ଏହା ଶୁଣି ରାଷ୍ଟ୍ରପତି ହସି କହିଥିଲେ, “ତାହାହେଲେ ମୋର ଗୋଟିଏ ଭାବନା ଅଛି। ଆପଣ ସୁସ୍ଥ ହେବା ପରେ ମୁଁ ଆପଣଙ୍କ ସହ ଗୋଟିଏ ସେସନ୍ କରିବାକୁ ଚାହୁଁଛି। ସେଥିରେ ଆପଣଙ୍କୁ କେମିତି ଲଢ଼ିବାକୁ ହୁଏ, ତାହା ଶିଖାଇବି।” ଏହା ଶୁଣି କ୍ୟାପ୍ଟେନ୍ ସ୍ମିତ ଏହାକୁ ନିଜ ପାଇଁ ବଡ଼ ସମ୍ମାନ ବୋଲି କହିଥିଲେ। ଏହି ସମୟରେ ରାଷ୍ଟ୍ରପତି କହିଥିଲେ, “ଆପଣ ଆମ ସହ ଅଛନ୍ତି, ଏହା ଆମର ସୌଭାଗ୍ୟ।” ଏହାପରେ ଦୁବାଇର ଶାସକ ତଥା UAEର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ରାଶିଦ୍ ଅଲ୍ ମକତୁମ୍ ବିମାନର ସମସ୍ତ କ୍ରୁ ସଦସ୍ୟଙ୍କ ସହ ହାତ ମିଳାଇ ସେମାନଙ୍କ ସାହସକୁ ପ୍ରଶଂସା କରିଥିଲେ।
ଏହାସହ UAE ରାଷ୍ଟ୍ରପତି ପୂରା ଟିମ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ଆପଣଙ୍କ ଜୀବନରେ ଯାହା ବି ଘଟିଥାଉ, UAE ଆପଣଙ୍କ ଦେଶ। ଏଠାରେ ଆପଣଙ୍କ ପାଇଁ ଘର ଅଛି ଏବଂ ଗୋଟିଏ ପରିବାର ମଧ୍ୟ ଅଛି।” ଏହି ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ସୂଚନା ଅନୁସାରେ, ୩୦ ସେପ୍ଟେମ୍ବର ୨୦୨୬ରେ ଫ୍ଲାଏଦୁବାଇର FZ1073 ବିମାନ ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଯାଉଥିଲା। ଅଭିଯୋଗ ଅନୁଯାୟୀ, ଉଡ଼ାଣ ସମୟରେ ସହ-ପାଇଲଟ୍ ଏକ ଜରୁରୀକାଳୀନ କ୍ରାସ୍ ଆକ୍ସରେ କ୍ୟାପ୍ଟେନ୍ ସ୍ମିତଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ ଧୈର୍ଯ୍ୟ ହରାଇ ନଥିଲେ। ଅନ୍ୟ କ୍ରୁ ସଦସ୍ୟଙ୍କ ସହଯୋଗରେ ଆକ୍ରମଣକାରୀଙ୍କୁ କାବୁ କରାଯାଇଥିଲା ଏବଂ ବିମାନଟି ସାଉଦି ଆରବର ତାବୁକ୍ ସହରରେ ସୁରକ୍ଷିତ ଅବତରଣ କରିଥିଲା।

