ମାତ୍ର ୨୭ ବର୍ଷ ବୟସରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ ଘଟିଛି । 7 Hours to Go, The Final Exit ଓ Ghost ଭଳି ଫିଲ୍ମରେ ଅଭିନୟ କରିଥିବା ଅନନ୍ୟାଙ୍କ ମୃତ୍ୟୁ ଜୁଲାଇ ୧୫ ତାରିଖରେ ହୋଇଥିଲା ।
ମନୋରଞ୍ଜନ ଜଗତରୁ ଆସିଛି ଦୁଃଖଦ ଖବର । ମାତ୍ର ୨୭ ବର୍ଷ ବୟସରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ ଘଟିଛି । 7 Hours to Go, The Final Exit ଓ Ghost ଭଳି ଫିଲ୍ମରେ ଅଭିନୟ କରିଥିବା ଅନନ୍ୟାଙ୍କ ମୃତ୍ୟୁ ଜୁଲାଇ ୧୫ ତାରିଖରେ ହୋଇଥିଲା । ତେବେ ପ୍ରାୟ ଏକ ମାସ ପରେ ପରିବାର ପକ୍ଷରୁ ଏହି ଖବର ସାର୍ବଜନୀନ କରାଯାଇଛି ।
ଅନନ୍ୟାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପରିବାର ପକ୍ଷରୁ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରାଯାଇଛି । ଏଥିରେ କୁହାଯାଇଛି ଯେ, ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅନନ୍ୟା ଶାରୀରିକ ଓ ମାନସିକ ସମସ୍ୟା ସହ ସଂଘର୍ଷ କରୁଥିଲେ । ସେ ଜଣେ ଯୋଦ୍ଧାଙ୍କ ଭଳି ଏହି ସମସ୍ୟାକୁ ଦୂର କରିବାକୁ ଲଢ଼ୁଥିଲେ । ଜୁଲାଇ ୧୫ ତାରିଖ ଭୋର ସମୟରେ ଶୋଇଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର କହିଛି ।
ପରିବାର ଅନନ୍ୟାଙ୍କୁ ଜଣେ ଦୃଢ଼ ମନୋବଳର ଝିଅ ଭାବେ ମନେ ପକାଇଛି । ଏଥିସହ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛି ଏବଂ ଏହି କଷ୍ଟକର ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ କହିଛି ।
ମୁମ୍ବାଇରେ ବଢ଼ିଥିବା ଅନନ୍ୟା ୨୦୧୬ରେ 7 Hours to Go ଫିଲ୍ମରୁ ବଲିଉଡ୍ରେ ପାଦ ରଖିଥିଲେ । ପରେ The Final Exit ଓ Ghostରେ ନଜର ଆସିଥିଲେ । ଏହାବ୍ୟତୀତ ସେ ତେଲୁଗୁ ଫିଲ୍ମ Thaggede Le ଓ ଟ୍ରାଇଲିଙ୍ଗୁଆଲ୍ ଫିଲ୍ମ Madrasi Gangରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ଅକାଳ ବିୟୋଗରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।

