୨୦୨୩ ମସିହାରେ ପୂର୍ବତନ ଆଇଏସ୍ ସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ବିଜେଡିରେ ଯୋଗ ଦେଲେ। ତାଙ୍କ ନାମକୁ ବିଜେଡି ପକ୍ଷରୁ ଅପଭ୍ରଂଶ କରାଗଲା। ‘
୨୦୨୩ ମସିହାରେ ପୂର୍ବତନ ଆଇଏସ୍ ସ୍ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ବିଜେଡିରେ ଯୋଗ ଦେଲେ। ତାଙ୍କ ନାମକୁ ବିଜେଡି ପକ୍ଷରୁ ଅପଭ୍ରଂଶ କରାଗଲା। ‘କାର୍ତ୍ତିକ’ ପାଣ୍ଡିଆନ ବୋଲି ସମ୍ବୋଧନ କରାଗଲା। ବିଜେଡିର ସମସ୍ତ ପୋଷ୍ଟର୍, ପ୍ରେସ୍ ରିଲିଜରେ ତାଙ୍କ ନାମ କାର୍ତ୍ତିକ ପାଣ୍ଡିଆନ ଲେଖାଗଲା। ଏପରିକି ସମୟକ୍ରମେ ସମସ୍ତେ ତାଙ୍କୁ କେବଳ ‘କାର୍ତ୍ତିକ’ ସମ୍ବୋଧନ କଲେ। ସେ ଦଳର ସାଧାରଣ ସଦସ୍ୟ ହୋଇ ଆସିଥିଲେ। କିନ୍ତୁ ବିଜେଡିର ସେ ହିଁ ସର୍ବେସର୍ବା ଥିଲେ ଓ ରଣନୀତି ପ୍ରସ୍ତୁତ କରୁଥିଲେ। ତେବେ ‘କାର୍ତ୍ତିକ’ ନାମ କିଛି ଫାଇଦା ଦେଲା ନାହିଁ। ୨୦୨୪ରେ ବିଜେଡି କ୍ଷମତାଚ୍ୟୁତ ହେଲା।
ଏବେ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ନାମକୁ ବି ବିଜେଡି ପକ୍ଷରୁ ବ୍ୟବଚ୍ଛେଦ କରାଯାଇଛି। ସାଙ୍ଗିଆରୁ କାର୍ତ୍ତିକେୟନ ଶବ୍ଦଟିକୁ ଅଘୋଷିତ ଭାବେ ଉଠାଇ ଦିଆଯାଇଛି। ନିଜେ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ‘ସୁଜାତା ରାଉତ’ ବୋଲି ସମ୍ବୋଧନ କରିଥିଲେ। ପରେ ବିଜେଡିର ନେତାମାନେ ସାମାଜିକ ଗଣମାଧ୍ୟମରେ ‘ସୁଜାତା ରାଉତ’ ଲେଖିଲେ।
ବିଜେଡିର ପ୍ରେସ୍ ରିଲିଜରେ ବି ସୁଜାତା ରାଉତ ବିଜେଡିରେ ଯୋଗ ଦେଲେ ବୋଲି ଲେଖା ହୋଇଥିଲା। ‘କାର୍ତ୍ତିକ’ ନାମରୁ ବିଜେଡିକୁ କିଛି ଫାଇଦା ମିଳି ନଥିଲା ବେଳେ ଏବେ ‘ରାଉତ’ ସାଙ୍ଗିଆରୁ ଦଳକୁ କେତେ ଫାଇଦା ମିଳିବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ବିଜେଡିରେ ଯୋଗ ଦେଲା ବେଳେ ଭିକେ ପାଣ୍ଡିଆନଙ୍କୁ ଯେମିତି ସାଧାରଣ କର୍ମୀ କୁହାଯାଉଥିଲା, ଏବେ ସୁଜାତାଙ୍କୁ ମଧ୍ୟ ସେମିତି କୁହାଯାଉଛି। କିନ୍ତୁ ଗତକାଲିଠାରୁ ଦଳ ଭିତରେ
ଭିନ୍ନ ତରିକାରେ ସୁଜାତାଙ୍କ ଦରବାର ବସିବା ଆରମ୍ଭ ହୋଇଯାଇଛି। ଗତକାଲି ରାଜ୍ୟସଭା ସାଂସଦ, ମୁଖପାତ୍ର ଓ ବିଭିନ୍ନ ଛାମୁଆ ସଂଗଠନର ନେତାମାନେ ଗୋଷ୍ଠୀ ହୋଇ ପୃଥକ ପୃଥକ ଭାବେ ଭେଟିଥିଲେ। ତାଙ୍କ ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସ୍ବାଗତ କରିଥିଲେ। ଆଜି ମଧ୍ୟ ବିଧାୟକ ଓ ନେତାମାନେ ନିଜ ନିଜ ସମର୍ଥକମାନଙ୍କ ସହ ସୁଜାତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଉଥିବାର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଭିକେ ପାଣ୍ଡିଆନ ବିଜେଡିରେ ଯୋଗ ଦେଲା ବେଳେ ଠିକ୍ ଏହି ତରିକାରେ ପ୍ରାୟୋଜିତ ଭାବେ ତାଙ୍କୁ ପ୍ରତିଦିନ ଦଳ ଦଳ ହୋଇ ନେତାମାନେ ଭେଟି ସ୍ବାଗତ କରୁଥିଲେ। ତେଣୁ ବିଜେଡିରେ ଏବେ ଖୋଲାଖୋଲି ଭାବେ ସୁଜାତାଙ୍କ ଯୁଗ ଆରମ୍ଭ ହେଲା କହିଲେ ଭୁଲ୍ ହେବ ନାହିଁ।
ସୁଜାତାଙ୍କ ଯୋଗଦାନ ନେଇ ଦଳ ଭିତରେ କୌଣସି ପ୍ରକାର ଅସନ୍ତୋଷ ଏ ଯାଏଁ ପଦାକୁ ଆସିନି। ଗତକାଲି କିଛି ବରିଷ୍ଠ ନେତା ଅନୁପସ୍ଥିତ ଥିଲେ ମଧ୍ୟ ସେମାନେ ସୁଜାତାଙ୍କ ବିରୋଧରେ କିଛି ପ୍ରତିକ୍ରିୟା ରଖି ନାହାନ୍ତି। ସୁଜାତାଙ୍କର ଏହି ଯୋଗଦାନ ବି ଆକସ୍ମିକ ନୁହେଁ। ଗତ କିଛି ଦିନ ହେଲା ଦଳ ପକ୍ଷରୁ ଏଥି ପାଇଁ ପ୍ରସ୍ତୁତି ଚାଲିଥିଲା। ଚାରି ପାଞ୍ଚ ଜଣ ଆଗଧାଡ଼ିର ନେତା ଦାୟିତ୍ବ ନେଇ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ।
ନିଜେ ନବୀନ ମଧ୍ୟ କିଛି ନେତାଙ୍କୁ ଡାକି କଥା ହୋଇଥିଲେ। ସମସ୍ତେ ମିଳିମିଶି ବିଜେଡିକୁ ଆଗକୁ ନେବା ବୋଲି ନବୀନ ସମସ୍ତଙ୍କୁ ବୁଝାଇଥିଲେ। ବରିଷ୍ଠମାନଙ୍କୁ ଦଳରେ ଠିକ୍ ଗୁରୁତ୍ବ ମିଳିବ ବୋଲି ବାର୍ତ୍ତା ଦିଆଯାଇଥିଲା। ସୁଜାତାଙ୍କ ଯୋଗଦାନକୁ ନେଇ ଦଳ ଭିତରେ ଅସନ୍ତୋଷ ଥିଲେ ବି ବରିଷ୍ଠମାନେ ତତ୍କାଳ ମୁହଁ ଖୋଲିବାକୁ ଚାହି ନାହାନ୍ତି। ଆଉ ନିଜେ ଦଳର ସୁପ୍ରିମୋ ପାଣ୍ଡିଆନ ଦମ୍ପତିଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ଥିବାରୁ ସୁଜାତାଙ୍କ ବିରୋଧରେ ଯିଏ ବି ପାଟି ଫିଟାଇବ, ସେ ଦଳରୁ ବିଦା ହେବା ଥୟ।
ଏହା ଅବଶ୍ୟ ସତ୍ୟ ଯେ ସୁଜାତାଙ୍କ କ୍ଷେତ୍ରରେ ‘ଅଣଓଡ଼ିଆ’ ନାରା କାମ ଦେବ ନାହିଁ। ସେ ଓଡ଼ିଆ ଝିଅ ହୋଇଥିବାରୁ ତାଙ୍କୁ ଏଠାରେ ରାଜନୀତି କରିବାରେ କୌଣସି ବାଧା ନାହିଁ। ତେବେ ବିଜେଡିରେ ତାଙ୍କ ଯୋଗଦାନ ପରେ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଏବେ ବି ବିଜେଡିକୁ ପାଣ୍ଡିଆନ୍ ଦମ୍ପତି ହିଁ ଭରସା। ତାଙ୍କ ବିନା ଦଳର ଅନ୍ୟ ଗତି ନାହିଁ। ଗତକାଲି ବିଜେଡି ନେତାମାନେ ଏକଥା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ବୀକାର କରି ନେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ପରିବାରରୁ ଆଉ କେହି ରାଜନୀତିକୁ ଆସିବାର ସମ୍ଭାବନା ନାହିଁ, ତାହା ମଧ୍ୟ ଆପାତତଃ ସ୍ପଷ୍ଟ ହୋଇଛି। ଟ୍ରଷ୍ଟ ମାଧ୍ୟମରେ ନବୀନ ଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ପାଣ୍ଡିଆନ ପରିଚାଳନା କରିବେ ଏବଂ ସୁଜାତା ଆଗାମୀ ଦିନରେ ଦଳର ନେତୃତ୍ବ ନେବେ, ଏଥିରେ ଆଉ କାହାରି ସନ୍ଦେହ ନାହିଁ।
ବର୍ତ୍ତମାନ ବିଜେଡିର ରାଜନୈତିକ ଆଭିମୁଖ୍ୟ କିପରି ରହୁଛି, ତାହା ଉପରେ ସମସ୍ତଙ୍କ ନଜର। ଉଭୟ ଦଳ ପରସ୍ପର ପ୍ରତି ଏବେ ବି ନରମ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି। କଂଗ୍ରେସକୁ ଚେକ୍ ଦେବାରୁ ବିଜେପି ଓ ବିଜେଡି ସାଥୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବାର ସମ୍ଭାବନା ଅଧିକ ବୋଲି ବହୁ ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି। ଅବଶ୍ୟ ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଏପରି ସମ୍ଭାବନାକୁ ଏବେଠାରୁ ଆକଳନ କରିବା କଷ୍ଟକର।

