ଥ ଉପରେ ଅଣସେବାୟତଙ୍କ ବେଆଇନ ପ୍ରବେଶ ଘଟଣାକୁ ନେଇ କଡ଼ା ଆକ୍ସନ ନେଲା ଶ୍ରୀମନ୍ଦିର ପ୍ରଶାସନ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଅନଧିକୃତ ବ୍ୟକ୍ତି ଚଢ଼ିଥିବା ଅଭିଯୋଗରେ ପୁରୀ ସିଂହଦ୍ୱାର ଥାନାରେ ଦାୟର ହୋଇଛି ଏତଲା ।
ରଥ ଉପରେ ଅଣସେବାୟତଙ୍କ ବେଆଇନ ପ୍ରବେଶ ଘଟଣାକୁ ନେଇ କଡ଼ା ଆକ୍ସନ ନେଲା ଶ୍ରୀମନ୍ଦିର ପ୍ରଶାସନ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଅନଧିକୃତ ବ୍ୟକ୍ତି ଚଢ଼ିଥିବା ଅଭିଯୋଗରେ ପୁରୀ ସିଂହଦ୍ୱାର ଥାନାରେ ଦାୟର ହୋଇଛି ଏତଲା । ସେବାୟତଙ୍କ ବେଶ ଧରି ରଥ ଉପରକୁ ଚଢ଼ିଥିବା ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପ୍ରଶାସନ । ଚଳିତ ବର୍ଷର ପବିତ୍ର ରଥଯାତ୍ରା ସମୟରେ ଘଟିଥିବା ଏହି ଘଟଣାକୁ ଶ୍ରୀମନ୍ଦିର ପ୍ରଶାସନ ଗମ୍ଭୀରତାର ସହ ନେଇଛି । ନିୟମ ଅନୁସାରେ ରଥ ଉପରେ କେବଳ ନିର୍ଦ୍ଦିଷ୍ଟ ସେବାୟତମାନେ ରହିପାରିବେ । ଅନ୍ୟ କୌଣସି ଅନଧିକୃତ ବ୍ୟକ୍ତିଙ୍କ ରଥ ଉପରକୁ ଚଢ଼ିବା ସମ୍ପୂର୍ଣ୍ଣ ନିଷିଦ୍ଧ । ତେବେ ରଥଯାତ୍ରା ସମୟରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଫଟୋରେ ଉକ୍ତ ବ୍ୟକ୍ତି ଗେରୁଆ ବସ୍ତ୍ର ପିନ୍ଧିଥିବା ସହ ଦଇତା ସେବକଙ୍କ ଭଳି ବେଶ ଧାରଣ କରିଥିବା ଦେଖାଯାଇଥିଲା । ଘଟଣା ନଜରକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛି। ସିଂହଦ୍ୱାର ଥାନାରେ ଦିଆଯାଇଥିବା ଏତଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଖୋଜିବା ସହ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, ରଥ ଉପରେ କୌଣସି ବିଶୃଙ୍ଖଳିତ କିମ୍ବା ବେଆଇନ କାର୍ଯ୍ୟକଳାପକୁ ସହ୍ୟ କରାଯିବ ନାହିଁ । ଶ୍ରୀମନ୍ଦିରର ପୁରାତନ ପରମ୍ପରା ଓ ନିୟମକୁ ସୁରକ୍ଷିତ ରଖିବା ପାଇଁ କଡ଼ା ପଦକ୍ଷେପ ଜାରି ରହିବ । ରଥଯାତ୍ରା ଭଳି ଐତିହାସିକ ଓ ଧାର୍ମିକ ଆୟୋଜନରେ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଏବେ ଅଧିକ ସତର୍କ ହୋଇଛି । ଅନଧିକୃତ ପ୍ରବେଶ ଘଟଣାରେ ଆଗକୁ କି ପଦକ୍ଷେପ ନିଆଯାଏ, ତାହା ଉପରେ ନଜର ରହିଛି ।

