ମୁସ୍କାନ୍ ରସ୍ତୋଗୀ ଓ ସାହିଲ୍ ଶୁକ୍ଳା ମେରଠ ଜିଲ୍ଲା ଅଦାଲତଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଉଭୟ ଦୋଷୀ ନିଜ ଓକିଲଙ୍କ ଜରିଆରେ ମିଳିତ ଭାବେ ଅପିଲ୍ ଦାଖଲ କରି ଦୋଷୀ ସାବ୍ୟସ୍ତ ହେବାର ରାୟ ଏବଂ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି ।
ଉତ୍ତରପ୍ରଦେଶର ମେରଠର ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟାକାଣ୍ଡରେ ଆସିଛି ନୂଆ ମୋଡ଼ । ନୀଳ ଡ୍ରମ୍ ହତ୍ୟାକାଣ୍ଡରେ ଫାଶୀ ଦଣ୍ଡ ପାଇଥିବା ମୁସ୍କାନ୍ ରସ୍ତୋଗୀ ଓ ସାହିଲ୍ ଶୁକ୍ଳା ମେରଠ ଜିଲ୍ଲା ଅଦାଲତଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଉଭୟ ଦୋଷୀ ନିଜ ଓକିଲଙ୍କ ଜରିଆରେ ମିଳିତ ଭାବେ ଅପିଲ୍ ଦାଖଲ କରି ଦୋଷୀ ସାବ୍ୟସ୍ତ ହେବାର ରାୟ ଏବଂ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି । ଆସନ୍ତା ସପ୍ତାହରେ ଆହ୍ଲାବାଦ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି ।
ଦୋଷୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଅପିଲ୍ରେ କୁହାଯାଇଛି ଯେ, ଅଭିଯୋଗ ପକ୍ଷ ଅଭିଯୋଗଗୁଡ଼ିକୁ ସନ୍ଦେହାତୀତ ଭାବେ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । ସେମାନଙ୍କ ଦାବି ଅନୁସାରେ, ପୂରା ମାମଲାଟି ପରିସ୍ଥିତିଗତ ପ୍ରମାଣ ଉପରେ ଆଧାରିତ ଥିଲା । ତଥାପି ଟ୍ରାଏଲ୍ କୋର୍ଟ ପ୍ରମାଣ ଓ ଆଇନଗତ ନୀତିର ଉପଯୁକ୍ତ ମୂଲ୍ୟାଙ୍କନ ନକରି ଦୋଷୀ ସାବ୍ୟସ୍ତ କରିବାର ରାୟ ଶୁଣାଇଥିବା ଅପିଲ୍ରେ ଦର୍ଶାଯାଇଛି । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର, ସିମେଣ୍ଟ ଓ ଡ୍ରମ୍ କିଣିବା ସମ୍ପର୍କିତ ସାକ୍ଷୀଙ୍କ ବୟାନରେ ଅସଙ୍ଗତି ଥିବା ଦାବି କରାଯାଇ ଛି। ଏହି ସାମଗ୍ରୀ କିଣାଯିବା ସମ୍ପର୍କିତ ସିସିଟିଭି ଫୁଟେଜ୍ ଓ ବୈଧ ରସିଦ୍ ଅଦାଲତରେ ଦାଖଲ କରାଯାଇନଥିବା ମଧ୍ୟ ଅପିଲ୍ରେ ଉଲ୍ଲେଖ ରହିଛି ।
ଉଦ୍ଧାର ରିପୋର୍ଟ ଓ ଇଲେକ୍ଟ୍ରୋନିକ୍ ପ୍ରମାଣ ଉପରେ ପ୍ରଶ୍ନ
ଅପିଲ୍ରେ ଅଭିଯୁକ୍ତଙ୍କ ପକ୍ଷରୁ ଉଦ୍ଧାର ସମ୍ପର୍କିତ ଦସ୍ତାବିଜ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ଉଦ୍ଧାର ମେମୋରେ ସ୍ୱାଧୀନ ସାକ୍ଷୀଙ୍କ ଦସ୍ତଖତ ନଥିବା, ଭିଡିଓଗ୍ରାଫି ପ୍ରକ୍ରିୟାରେ ଅନିୟମିତତା ଏବଂ ଇଲେକ୍ଟ୍ରୋନିକ୍ ପ୍ରମାଣ ପାଇଁ ଆବଶ୍ୟକ ପ୍ରମାଣପତ୍ର ଦାଖଲ ନହେବା ଭଳି ଯୁକ୍ତି ଉପସ୍ଥାପନ କରାଯାଇଛି । ଏହି ସବୁ ଆଧାରରେ ମୁସ୍କାନ୍ ଓ ସାହିଲ୍ ଟ୍ରାଏଲ୍ କୋର୍ଟଙ୍କ ରାୟକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ନିକଟରେ ଦାବି କରିଛନ୍ତି। ତେବେ ଏହି ସମସ୍ତ ଯୁକ୍ତି ଅପିଲକାରୀଙ୍କ ପକ୍ଷରୁ ରଖାଯାଇଛି । ହାଇକୋର୍ଟରେ ଶୁଣାଣି ସମୟରେ ଏହାର ବିଚାର କରାଯିବ। ବର୍ତ୍ତମାନ ହାଇକୋର୍ଟର ରାୟକୁ ନେଇ ସମସ୍ତଙ୍କ ନଜର ରହିଛି ।

