ବର୍ଷ ବର୍ଷ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ଦିଲ୍ଲୀରେ ବସିବ ବଡ଼ ବୈଠକ । ମହାନଦୀର କଳି ତୁଲାଇବାକୁ ଆଲୋଚନା ଟେବୁଲରେ ବସିବେ ଓଡ଼ିଶା ଓ ଛତିଶଗଡ଼ ।
ମହାନଦୀକୁ ନେଇ ବଡ଼ ଖବର… ବର୍ଷ ବର୍ଷ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ଦିଲ୍ଲୀରେ ବସିବ ବଡ଼ ବୈଠକ । ମହାନଦୀର କଳି ତୁଲାଇବାକୁ ଆଲୋଚନା ଟେବୁଲରେ ବସିବେ ଓଡ଼ିଶା ଓ ଛତିଶଗଡ଼ । ଆଉ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ପହଞ୍ଚିବା ପରେ ମହାନଦୀ ଜଳ ବିବାଦକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ସେ ସାମିଲ ହେବେ ।
ଏହି ବୈଠକରେ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୁହନ୍ତି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ମଧ୍ୟ ସାମିଲ ହେବେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ । ଅପରାହ୍ନ ୪ଟାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ମହାନଦୀ ଜଳର ବଣ୍ଟନ, ପରିଚାଳନା ଓ ଉଭୟ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ମତଭେଦକୁ ନେଇ ଆଲୋଚନା ହେବ । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ସେଣ୍ଟ୍ରାଲ ୱାଟର କମିସନ୍ର ବୈଷୟିକ ତଥ୍ୟ ମଧ୍ୟ ଆଲୋଚନାର ଆଧାର ହୋଇପାରେ ।
ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଆସିଛି । ଉପରମୁଣ୍ଡରେ ନିର୍ମାଣ ଏବଂ ଜଳ ନିୟନ୍ତ୍ରଣ ଯୋଗୁଁ ଓଡ଼ିଶାକୁ ତଳମୁଣ୍ଡରେ ଜଳ ପ୍ରବାହ ପ୍ରଭାବିତ ହେଉଥିବା ନେଇ ଆପତ୍ତି ଉଠାଇଆସିଛି । ଏହି ବିବାଦ ୨୦୧୮ରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି ।
ତେବେ ଏବେ ଉଭୟ ରାଜ୍ୟ ଆଲୋଚନା ଓ ଆପୋସ ବୁଝାମଣା ମାଧ୍ୟମରେ ସମାଧାନର ରାସ୍ତା ଖୋଜିବା ଦିଗରେ ଆଗକୁ ବଢୁଛନ୍ତି। ଜୁଲାଇ ୩୦ରେ ମଧ୍ୟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା। ଏହାର ଠିକ୍ ପ୍ରାୟ ୧୦ ଦିନ ପୂର୍ବରୁ, ସେପ୍ଟେମ୍ବର ୨୦ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଭୁବନେଶ୍ୱର ଆସି ମୋହନ ମାଝୀଙ୍କ ସହ ମହାନଦୀ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏବେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ହେବାକୁ ଥିବା ବୈଠକ ଉପରେ ରହିଛି ନଜର।

