ଭାରତୀୟ ପୁରୁଷ ହକି ଦଳ FIH ପ୍ରୋ-ଲିଗ୍ରେ ବିଶ୍ୱ ବିଜେତା ଜର୍ମାନୀକୁ ୩-୧ ଗୋଲ୍ରେ ହରାଇ ନେଦରଲାଣ୍ଡ୍ସ ଗସ୍ତର ପ୍ରଥମ ବିଜୟ ହାସଲ କରିଛି । ମନପ୍ରୀତ ସିଂହ ୪୧୩ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।
FIH ପ୍ରୋ-ଲିଗ୍ରେ ଭାରତୀୟ ପୁରୁଷ ହକି ଦଳ ଦମଦାର ପ୍ରଦର୍ଶନ କରି ଚଳିତ ନେଦରଲାଣ୍ଡ୍ସ ଗସ୍ତରେ ପ୍ରଥମ ବିଜୟ ହାସଲ କରିଛି । ଗସ୍ତର ପ୍ରଥମ ମ୍ୟାଚ୍ରେ ଘରୋଇ ଅଲିମ୍ପିକ୍ସ ବିଜେତା ନେଦରଲାଣ୍ଡ୍ସଠାରୁ ୨-୩ ଗୋଲ୍ରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଗୁରୁବାର ଦ୍ୱିତୀୟ ମ୍ୟାଚ୍ରେ ପ୍ରତିବଦଳ କରିଛି । ଏକ ରୋମାଞ୍ଚକର ମୁକାବିଲାରେ ଭାରତ ପ୍ରତିପକ୍ଷ ବିଶ୍ବ ବିଜେତା ଜର୍ମାନୀକୁ ୩-୧ ଗୋଲ୍ରେ ମାତ୍ ଦେଇ ପ୍ରୋ-ଲିଗ୍ରେ ନିଜର ବିଜୟ ସଂଖ୍ୟା ବଢ଼ାଇଛି । ଶୁକ୍ରବାର ଦଳ ପୁଣିଥରେ ଜର୍ମାନୀ ବିପକ୍ଷରେ ମୈଦାନକୁ ଓହ୍ଲାଇବ ।
ଭାରତୀୟ ଦଳର ଏହି ଚମତ୍କାର ବିଜୟ ମିଡ୍ଫିଲ୍ଡର ମନ୍ପ୍ରୀତ ସିଂହଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତାକୁ ସ୍ମରଣୀୟ କରି ଦେଇଛି । ୩୩ ବର୍ଷୀୟ ମନ୍ପ୍ରୀତ ଭାରତ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ନୂଆ ଇତିହାସ ରଚିଛନ୍ତି । ସେ ଓଡ଼ିଆ ପୁଅ ତଥା ପୂର୍ବତନ ଅଧିନାୟକ ଓ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କ ୪୧୨ ମ୍ୟାଚ୍ର ରେକର୍ଡକୁ ଭାଙ୍ଗିଛନ୍ତି । ମନ୍ପ୍ରୀତ ଏବେ ୪୧୩ ମ୍ୟାଚ୍ ସହ ଭାରତର ଶୀର୍ଷରେ ପହଞ୍ଚିଛନ୍ତି । ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ହକି ଇଣ୍ଡିଆ ପକ୍ଷରୁ ମନ୍ପ୍ରୀତଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଘୋଷଣା ହୋଇଛି । ଏଥିସହ ବିଶ୍ବ ସ୍ତରରେ ସର୍ବାଧିକ ମ୍ୟାଚ୍ ଖେଳିବାରେ ସେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।
ମ୍ୟାଚ୍ ବିଷୟରେ କହିବାକୁ ଗଲେ, ପ୍ରଥମ କ୍ୱାର୍ଟରରୁ ହିଁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ । ମ୍ୟାଚ୍ର ୭ମ ମିନିଟ୍ରେ ମନଦୀପ ସିଂହ ପ୍ରଥମ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ । ଏହାର କିଛି ସମୟ ପରେ ଅର୍ଥାତ୍ ୧୩ତମ ମିନିଟ୍ରେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଏକ ଚମତ୍କାର ଗୋଲ୍ କରି ଦଳକୁ ୨-୦ରେ ଆଗକୁ ନେଇଥିଲେ । ଦ୍ବିତୀୟ କ୍ବାର୍ଟରରେ କୌଣସି ଦଳ ଗୋଲ୍ କରିପାରି ନଥିଲେ ସୁଦ୍ଧା ମଧ୍ୟାନ୍ତର ସୁଦ୍ଧା ଭାରତ ନିଜର ଦୃଢ଼ ସ୍ଥିତି ବଜାୟ ରଖିଥିଲା ।
୩୫ତମ ମିନିଟ୍ରେ ନୀଳକାନ୍ତ ଶର୍ମା ଭାରତ ପକ୍ଷରୁ ତୃତୀୟ ଗୋଲ୍ ସ୍କୋର କରି ସ୍କୋରଲାଇନ୍କୁ ୩-୦ରେ ପହଞ୍ଚାଇ ଦେଇଥିଲେ । ତେବେ ୪୫ତମ ମିନିଟ୍ରେ ଜର୍ମାନୀର ରାଫେଲ ହାର୍ତକୋଫ୍ ଗୋଟିଏ ଗୋଲ୍ ଶୁଝି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଚତୁର୍ଥ କ୍ବାର୍ଟରରେ ଭାରତୀୟ ରକ୍ଷଣଭାଗ ଜର୍ମାନୀର ସମସ୍ତ ଆକ୍ରମଣକୁ ବିଫଳ କରିଦେଇଥିଲା । ଶେଷରେ ଭାରତ ୩-୧ ଗୋଲ୍ରେ ଏହି ବଡ଼ ମ୍ୟାଚ୍କୁ ଜିତି ନେଇଥିଲା ।

