ଢେଙ୍କାନାଳ ଓଡ଼ାପଡ଼ାରେ ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଅଭିଯୋଗ। କମଳାଙ୍ଗ ନିକଟରୁ ୪ଟି ବାଲି ବୋଝେଇ ହାଇୱା ଧରି ଥାନା ଜିମା ଦେଇଥିବା ଦାବି କରୁଛି ଖଣି ବିଭାଗ। ଅନ୍ୟପଟେ ଗାଡ଼ି ଧରାଯାଇନଥିବା କହୁଛି ଥାନା। ଦୁଇ ଅଧିକାରୀଙ୍କ ବୟାନକୁ ନେଇ ଉଠିଛି ପ୍ରଶ୍ନ।
ବ୍ରାହ୍ମଣୀ ପେଟ ଚିରି ବାଲି ଲୁଟ୍ ! ଖଣି ଅଧିକାରୀ ଧରୁଛନ୍ତି, ମନା କରୁଛନ୍ତି ଥାନା ବାବୁ । କିଏ କହୁଛି ସତ? ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକରେ ବ୍ରାହ୍ମଣୀ ନଦୀରୁ ଦୈନିକ ଶହଶହ ଟ୍ରକ୍ ବାଲି ଚୋରାଚାଲାଣ ହେଉଛି। ନଈ ପେଟରୁ ବାଲି ତାଡ଼ି ନେଉଛନ୍ତି ମାଫିଆ। ଜିଲ୍ଲାରେ କୋଟିକୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ଚୋରଙ୍କୁ ଧରିବେ କ’ଣ, ଏଠି ପ୍ରାଶାସନିକ ଅଧିକାରୀଙ୍କ ବୟାନ ହିଁ ମେଳ ଖାଉନି। ଖଣି ଅଧିକାରୀ ନା ଥାନା ଅଧିକାରୀ, କିଏ କହୁଛି ସତ? ତାକୁ ନେଇ ଉଠିଲାଣି ପ୍ରଶ୍ନ।
କମଳାଙ୍ଗ ନିକଟ ଅବୈଧ ବାଲିଘାଟରୁ ମଧ୍ୟରାତ୍ରିରେ ୪ଟି ବାଲିବୋଝେଇ ହାଇୱାକୁ ଅନୁଗୋଳ ଖଣି ବିଭାଗ ଧରି ଢେଙ୍କାନାଳ ମୋଟଙ୍ଗା ଥାନା ଜିମା ଦେଇଥିବା କହୁଛନ୍ତି ଖଣି ଅଧିକାରୀ। ମାତ୍ର ଥାନା ଅଧିକାରୀ କହୁଛନ୍ତି, ଗାଡ଼ି ଧରାଯାଇନି। ଏଭଳି ଅନୈତିକ କାର୍ଯ୍ୟକଳାପ ଯୋଗୁଁ କିଛି ଦିନ ତଳେ ଓଡ଼ପଡ଼ା ତହସିଲଦାର ମନୋଜ କୁମାର ମାଝିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।
ତଥାପି ଢେଙ୍କାନାଳରେ ବେଆଇନ ଲଘୁ ଖଣିଜ କାରବାରରେ ରୋକ୍ ଲାଗିପାରୁନି। ବ୍ରାହ୍ମଣୀ ନଦୀକୂଳରେ ୨୦ରୁ ଊର୍ଦ୍ଧ୍ୱ ବାଲିଘାଟରୁ ପ୍ରତିଦିନ ବାଲି ଲୁଟ୍ ହେଉଛି। କେବଳ ବାଲି ନୁହେଁ, ମୋରମ୍, ମାଙ୍କଡ଼ା ପଥର ଆଦି ମଧ୍ୟ ଚୋରାଚାଲାଣ ହେଉଛି। ମାତ୍ର ପ୍ରଶାସନ କାହିଁକି ନିଦାବିଷ୍ଣୁ ସାଜିଛି? ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାରେ କୁଣ୍ଠାବୋଧ କରୁଛି କାହିଁକି? ମାଫିଆ ସ୍ଥାନୀୟ ପୁଲିସ୍, ଖଣି ଅଧିକାରୀ ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ହାତବାରସୀ କରି ବେଧଡ଼କ କାରବାର ଚଳାଇଥିବା ଅଭିଯୋଗ ଆସୁଛି।
