ବିଶ୍ୱର ସବୁଠାରୁ ବଡ଼ ଗୁମ୍ଫା : ପାହାଡ଼ ଭିତରେ ଲୁଚିଛି ଗୋଟିଏ ଅଦ୍ଭୁତ ଦୁନିଆ

ଗିନିଜ୍ ୱାର୍ଲ୍ଡ ରେକର୍ଡସ ଅନୁଯାୟୀ ଏହା ବିଶ୍ୱର ସବୁଠାରୁ ବଡ଼ ସିଙ୍ଗଲ୍ ଗୁମ୍ଫା ମାର୍ଗ । ଏହା ପାଖାପାଖି ୬୫୫ ଫୁଟ୍ ଉଚ୍ଚ, ୪୯୦ ଫୁଟ୍ ଓସାରିଆ ଏବଂ ଏହାର ଲମ୍ବ ଅନ୍ତତଃ ୬.୫ କିଲୋମିଟର ।

ଭିଏତନାମର ଚୂନାପଥର ପାହାଡ଼ ଭିତରେ ଏକ ନଦୀ ଗୋଟିଏ ବିଶାଳ ଗୁମ୍ଫା ମଧ୍ୟଦେଇ ପ୍ରବାହିତ ହେଉଛି । ଏହା ଏପରି ଏକ ସ୍ଥାନ, ଯେଉଁଠାରେ ଘଞ୍ଚ ଜଙ୍ଗଲ ଉପରେ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥାଏ । ଏହି ସ୍ଥାନକୁ ବିଶ୍ୱ ‘ହ୍ୟାଙ୍ଗ ସନ୍ ଡୁଙ୍ଗ’ ନାମରେ ଜାଣିଛି । ଏହା ପୃଥିବୀର ସବୁଠାରୁ ବଡ଼ ସିଙ୍ଗଲ୍ କେଭ୍ ପାସେଜ୍ ଭାବେ ପରିଚିତ। ଏହାର ବିଶାଳ ଅଭ୍ୟନ୍ତର ଅନ୍ଧାରିଆ ଓ ସଂକୀର୍ଣ୍ଣ ସୁଡ଼ଙ୍ଗ ସମ୍ପର୍କିତ ସାଧାରଣ ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।

ଏହି ଗୁମ୍ଫାର ସବୁଠାରୁ ବଡ଼ ବିଶେଷତା ହେଉଛି, ଏହାର ଛାତର କିଛି ଅଂଶ ଭାଙ୍ଗିଯିବା ଫଳରେ ସୂର୍ଯ୍ୟାଲୋକ ସିଧାସଳଖ ଭିତରକୁ ଆସିଥାଏ । ଏହି ଆଲୋକ ଯୋଗୁଁ ଗୁମ୍ଫା ଭିତରେ ‘ଗାର୍ଡେନ୍ ଅଫ୍ ଇଡେନ୍’ ନାମକ ଏକ ଜଙ୍ଗଲ ଗଢ଼ିଉଠିଛି। ଅକ୍ସାଲିସ୍ ଆଡଭେଞ୍ଚର ଅନୁଯାୟୀ, ଏଠାରେ ଗଛଗୁଡ଼ିକ ୧୩୦ ରୁ ୧୬୫ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚ ହୋଇଥାନ୍ତି । ଏହା ସହିତ ଗୁମ୍ଫା ଅଭ୍ୟନ୍ତରରେ ବହୁଥିବା ନଦୀ ଏବଂ ଭିନ୍ନ ତାପମାତ୍ରାର ବାୟୁର ମିଶ୍ରଣ ଯୋଗୁଁ ଏଠାରେ ନିଜସ୍ୱ ମେଘ ଓ କୁହୁଡ଼ି ସୃଷ୍ଟି ହୋଇଥାଏ ।

କେତେ ବଡ଼ ଏହି ସନ୍ ଡୁଙ୍ଗ ଗୁମ୍ଫା?

ଗିନିଜ୍ ୱାର୍ଲ୍ଡ ରେକର୍ଡସ ଅନୁଯାୟୀ ଏହା ବିଶ୍ୱର ସବୁଠାରୁ ବଡ଼ ସିଙ୍ଗଲ୍ ଗୁମ୍ଫା ମାର୍ଗ । ଏହା ପାଖାପାଖି ୬୫୫ ଫୁଟ୍ ଉଚ୍ଚ, ୪୯୦ ଫୁଟ୍ ଓସାରିଆ ଏବଂ ଏହାର ଲମ୍ବ ଅନ୍ତତଃ ୬.୫ କିଲୋମିଟର । ଭିଏତନାମ ନାସନାଲ୍ ପାର୍କ ଅନୁସାରେ, ଏହି ଗୁମ୍ଫା ଭିତରେ ୪୦ ମହଲା ବିଶିଷ୍ଟ ଗଗନଚୁମ୍ବୀ ଅଟ୍ଟାଳିକା ସହଜରେ ରହିପାରିବ ।

କିପରି ହୋଇଥିଲା ଏହାର ଆବିଷ୍କାର ?

୧୯୯୦ ମସିହାରେ ସ୍ଥାନୀୟ ବାସିନ୍ଦା ହୋ ଖାନ୍ ଜଙ୍ଗଲରେ ଝଡ଼ବର୍ଷାରୁ ବର୍ତ୍ତିବା ପାଇଁ ଆଶ୍ରୟ ଖୋଜୁଥିବା ସମୟରେ ଏହି ଗୁମ୍ଫାର ଦ୍ୱାର ପାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ସେହି ରାସ୍ତା ଭୁଲିଯାଇଥିଲେ। ଦୀର୍ଘ ବର୍ଷ ପରେ ୨୦୦୯ ମସିହାରେ ସେ ବ୍ରିଟିଶ୍ ଗବେଷକ ଦଳକୁ ଏହି ଗୁମ୍ଫାର ଦ୍ୱାର ପର୍ଯ୍ୟନ୍ତ ନେଇଯିବାରେ ସଫଳ ହୋଇଥିଲେ, ଯାହା ପରେ ଏହାର ଆବିଷ୍କାର ଓ ମାପ କାର୍ଯ୍ୟ ଆରମ୍ଭ ହୋଇଥିଲା।

ପର୍ଯ୍ୟଟକଙ୍କ ପାଇଁ କଡ଼ା ନିୟମ

ସୋନ୍ ଡୁଙ୍ଗ ଗୁମ୍ଫାର ପ୍ରାକୃତିକ ପରିବେଶ, ଜୀବଜନ୍ତୁ ଓ ଉଦ୍ଭିଦ ଜଗତକୁ ସୁରକ୍ଷିତ ରଖିବା ପାଇଁ କଠୋର ନିୟମ ଲାଗୁ କରାଯାଇଛି। ବର୍ଷକୁ କେବଳ ୧,୦୦୦ ଜଣ ପର୍ଯ୍ୟଟକଙ୍କୁ ଏଠାକୁ ଯିବାପାଇଁ ଅନୁମତି ମିଳିଥାଏ ଏବଂ ଗୋଟିଏ ଗ୍ରୁପ୍‌ରେ ୧୦ ଜଣରୁ ଅଧିକ ପର୍ଯ୍ୟଟକ ଯାଇପାରିବେ ନାହିଁ। ଏହି କାରଣରୁ ଏହା ସାଧାରଣ ପର୍ଯ୍ୟଟନ ସ୍ଥଳୀ ବଦଳରେ ଏକ ନିୟନ୍ତ୍ରିତ ଅଭିଯାନ ଭାବେ ପରିଚାଳିତ ହେଉଛି।

Leave a Reply

Your email address will not be published. Required fields are marked *