ବାତ୍ୟା ଆଶଙ୍କାକୁ ନେଇ ଚିନ୍ତାରେ ରାୟଗଡ଼ା ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳର ଚାଷୀ। ଖୋଲା ଆକାଶ ତଳେ ରହିଛି ଶହ ଶହ ଟନ୍ ଅମଳ ମକା। ବର୍ଷା ହେଲେ ମକା ଓଦା ହୋଇ ଗଜା ହେବାର ଆଶଙ୍କା ରହିଛି।
ଆସୁଛି ବାତ୍ୟା, ଚିନ୍ତାରେ ଚାଷୀ । ଖୋଲା ଆକାଶ ତଳେ ଗଡ଼ୁଛି ଟନ୍ ଟନ୍ ମକା । ସରକାରୀ ବ୍ୟବସ୍ଥା ନଥିବାରୁ ଚାଷୀ ଅସନ୍ତୋଷ । ରାୟଗଡ଼ା ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାଁ ଗୁଡ଼ିକରେ ଦେଖିବାକୁ ମିଳିଛି ଏମିତି ଚିତ୍ର । ରାସ୍ତା ଉପରେ ପଡ଼ି ରହିଛି ଶହ ଶହ ଟନ୍ ମକା। ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶରେ ମାଡ଼ ହେବ ବୋଲି କୁହାଯାଉଛି।
ଦକ୍ଷିଣ ଓଡ଼ିଶାରେ ଏହା ପ୍ରଭାବରେ ପ୍ରବଳ ବର୍ଷା, ପବନ ହେବାର ଆଶଙ୍କା ରହିଛି। ଏହି ଭୟ କାରଣରୁ ବିଲରୁ ପାଚିଲା ମକା ତୋଳି ଆଣି ଖୋଲା ଆକାଶ ତଳେ ପକାଇ ରଖିଛନ୍ତି ଚାଷୀ। ବର୍ଷା ହେଲେ ମକା ଓଦା ହେବା ସହ ଗଜା ହୋଇ ନଷ୍ଟ ହେବାର ସମ୍ଭାବନା ରହିଛି, ଚିନ୍ତାରେ ଅଛନ୍ତି ଚାଷୀକୂଳ । ଆନ୍ଧ୍ର-ଓଡିଶା ସୀମାନ୍ତ ରାୟଗଡ଼ାର ବୈରାଗି ହାଲୁଆ, ଶେଷଖାଲ, ଜେମାଦେଇପେଣ୍ଠ, ଇରୁକୁବାଡି, କାରୁବାଇ, ଡାଙ୍ଗଲୋଡି, ମୀରାବାଲି ଓ ବାଇସିଂ ପଞ୍ଚାୟତର ୨ହଜାର ୪୦୦ ଏକର ଜମିରେ କରାଯାଉଛି ମକାଚାଷ।
ଏହି ଅଞ୍ଚଳରୁ ପ୍ରତିବର୍ଷ ପ୍ରାୟ ୫୦ହଜାର କ୍ବିଣ୍ଟାଲ ମକା ଉତ୍ପାଦନ ହୋଇଥାଏ, ଯାହାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି ସ୍ଥାନୀୟ ଚାଷୀ। ତେବେ ସରକାରୀ ସ୍ତରରେ ଏଠାରେ କୌଣସି ମଣ୍ଡି ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ଅମଳ ସମୟରେ ଚାଷୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାତ୍ୟା ଅର୍ଣ୍ଣବକୁ ନେଇ ଚାଷୀକୂଳ ଭୟଭିତ ଥିବା ବେଳେ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାକୁ ଅପେକ୍ଷା।

