ବାତ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ, ଜମିରେ ଶୋଇଲା ପାଚିଲା ଧାନ!

ଅମଳ ବେଳେ ଚାଷୀଙ୍କ ମୁଣ୍ଡରେ ଚଡ଼କ । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଓ ପବନ ଧୋଇଦେଇଛି ଚାଷୀଙ୍କ ବର୍ଷକର ପରିଶ୍ରମ। ଜମିରେ ଶୋଇପଡ଼ିଛି ପାଚିଲା ଧାନ । ଆଉ କେଉଁଠି ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି ।

ଅମଳ ବେଳେ ଚାଷୀଙ୍କ ମୁଣ୍ଡରେ ଚଡ଼କ । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଓ ପବନ ଧୋଇଦେଇଛି ଚାଷୀଙ୍କ ବର୍ଷକର ପରିଶ୍ରମ। ଜମିରେ ଶୋଇପଡ଼ିଛି ପାଚିଲା ଧାନ । ଆଉ କେଉଁଠି ଜମିରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଧାନ ଗଜା ହେବା ଆଶଙ୍କାରେ ଚିନ୍ତାରେ ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ଏଭଳି କ୍ଷୟକ୍ଷତିର ଚିତ୍ର ।

ଚାଷୀଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା । ବର୍ଷ ଆରମ୍ଭରେ ଭଲ ବର୍ଷା ହୋଇଥିବାରୁ ଏଥର ଭଲ ଧାନ ଅମଳର ଆଶା ରଖିଥିଲେ ଚାଷୀ । ହେଲେ ପ୍ରଥମେ ରୋଗପୋକ ଆକ୍ରମଣ ଆଉ ପରେ ବର୍ଷାର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଥିଲା । ଫସଲକୁ ବଞ୍ଚାଇବା ପାଇଁ ପୋଖରୀ ଓ ନାଳରୁ ମୋଟର ଯୋଗେ ପାଣି ଉଠାଇ ଜମିରେ ମଡ଼ାଉଥିଲେ। କିନ୍ତୁ ଅମଳ ସମୟରେ ବାତ୍ୟା ଅର୍ଣ୍ଣବ ସବୁ ଆଶାରେ ପାଣି ଢାଳିଦେଲା ।

ପ୍ରବଳ ବର୍ଷା ଓ ପବନ ମାଡ଼ରେ ଜମିରେ ଶୋଇପଡ଼ିଛି ପାଚିଲା ଧାନ ଗଛ। ଅନେକ ଜମିରେ ଜମି ରହିଛି ବର୍ଷା ପାଣି । ଠିକ୍‌ ସମୟରେ ଧାନ ଅମଳ ହୋଇନପାରିଲେ ଗଜା ହୋଇଯିବା ଆଶଙ୍କା ରହିଛି। ଫଳରେ ବର୍ଷକର ପରିଶ୍ରମ ନଷ୍ଟ ହେବା ଭୟରେ ଭାଙ୍ଗିପଡ଼ିଛନ୍ତି ଚାଷୀ । ଜିଲ୍ଲାର ସୋନପୁର, ବିନିକା, ତରଭା, ବୀରମହାରାଜପୁର, ଉଲୁଣ୍ଡା ଓ ଡୁଙ୍ଗୁରିପାଲି ଭଳି ବିଭିନ୍ନ ବ୍ଲକରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଲାଭ ଆଶା ରଖିଥିବା ଚାଷୀଙ୍କୁ ଏବେ କ୍ଷତି ସହିବାକୁ ପଡ଼ିବ ବୋଲି ଚିନ୍ତା ଘାରିଛି । ଅନ୍ୟପଟେ ଫସଲ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଉଦ୍ୟମ ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ବର୍ଷକର ପରିଶ୍ରମ ପରେ ଅମଳ ବେଳକୁ ଦାଉ ସାଧିଲା ବାତ୍ୟା। ଧାନ ଜମିରେ ପଡ଼ିଛି, ଚାଷୀଙ୍କ ଆଖିରେ ଲୁହ। ଏବେ କ୍ଷତିପୂରଣ ଉପରେ ଚାଷୀଙ୍କ ନଜର ।

Leave a Reply

Your email address will not be published. Required fields are marked *