ହାଣ୍ଡିଆ ଥାନା ଅନ୍ତର୍ଗତ ଗ୍ରାମରେ ୫୦ ବର୍ଷୀୟ ପୂର୍ବତନ ଗ୍ରାମ ସରପଞ୍ଚ ପୱନ ଯାଦବ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ । ସେହି ସମୟରେ ଏକ ମୋଟରସାଇକେଲରେ ତିନି ଜଣ ଅଜ୍ଞାତ ଯୁବକ ପହଞ୍ଚି ତାଙ୍କ ପିଠିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ।
ଉତ୍ତରପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗଙ୍ଗାନଗର ଜୋନ୍ର ହାଣ୍ଡିଆ ଅଞ୍ଚଳରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାଇକ୍ରେ ଆସିଥିବା ତିନି ଜଣ ଅଜ୍ଞାତ ଦୁର୍ବୃତ୍ତ ସପା ନେତା ପୱନ ଯାଦବଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ , ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।
ଗୁଳିମାଡ଼ ପରେ ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ପରେ ମେଡିକାଲ କଲେଜର ସ୍ୱରୂପରାଣୀ ନେହେରୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୱନ ଯାଦବ ହାଣ୍ଡିଆ ଅଞ୍ଚଳର ମୁଙ୍ଗରାଓ ଗ୍ରାମର ବାସିନ୍ଦା ଥିଲେ। ସେ ସମାଜବାଦୀ ପାର୍ଟିର ଜିଲ୍ଲା ସମ୍ପାଦକ ଥିବା ସହ ଗ୍ରାମର ପୂର୍ବତନ ସରପଞ୍ଚ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଥିଲେ ।
ଘଟଣା ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ହାଣ୍ଡିଆ ଥାନା ଅନ୍ତର୍ଗତ ଗ୍ରାମରେ ୫୦ ବର୍ଷୀୟ ପୂର୍ବତନ ଗ୍ରାମ ସରପଞ୍ଚ ପୱନ ଯାଦବ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ । ସେହି ସମୟରେ ଏକ ମୋଟରସାଇକେଲରେ ତିନି ଜଣ ଅଜ୍ଞାତ ଯୁବକ ପହଞ୍ଚି ତାଙ୍କ ପିଠିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପୋଲିସ ଏବଂ ସ୍ଥାନୀୟ ଲୋକେ ଡାକ୍ତରଖାନା ପଠାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା ।
ହତ୍ୟାକାଣ୍ଡ ଘଟାଇବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣାସ୍ଥଳ ଓ ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି । ଫେରାର ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

