ପଞ୍ଜାବର ୫୦ ୱାର୍ଡରେ ପୁଣି ହେବ ନିର୍ବାଚନ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ପୌର ନିର୍ବାଚନ ସମୟରେ ପ୍ରାର୍ଥିପତ୍ର ଦାଖଲରେ ବ୍ୟାପକ ବାଧା ସୃଷ୍ଟି ହୋଇଥିବା ନେଇ ତଦନ୍ତ କମିଟିର ରିପୋର୍ଟ ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ପଟିଆଲା ଜିଲ୍ଲାର ୨୮ଟି ଏବଂ ମୋଗା ଜିଲ୍ଲାର ୨୨ଟି ୱାର୍ଡରେ ପୂର୍ବରୁ ହୋଇଥିବା ନିର୍ବାଚନକୁ ବାତିଲ କରି ପୁନଃନିର୍ବାଚନ ପାଇଁ ନିର୍ଦ୍ଦେଶ ହୋଇଛି ।

ପଞ୍ଜାବର ୫୦ଟି ୱାର୍ଡରେ ପୁଣି ଥରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ବାଚନ ସମୟରେ ପ୍ରାର୍ଥିପତ୍ର ଦାଖଲରେ ବ୍ୟାପକ ବାଧା ସୃଷ୍ଟି ହୋଇଥିବା ନେଇ ତଦନ୍ତ କମିଟିର ରିପୋର୍ଟ ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ପଟିଆଲା ଜିଲ୍ଲାର ୨୮ଟି ଏବଂ ମୋଗା ଜିଲ୍ଲାର ୨୨ଟି ୱାର୍ଡରେ ପୂର୍ବରୁ ହୋଇଥିବା ନିର୍ବାଚନକୁ ବାତିଲ କରି ପୁନଃନିର୍ବାଚନ ପାଇଁ ନିର୍ଦ୍ଦେଶ ହୋଇଛି ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ହାଇକୋର୍ଟ ବିଚାରପତି ନିର୍ମଳଜିତ କୌରଙ୍କ ନେତୃତ୍ୱରେ ଗଠିତ ଏକଜଣିଆ କମିସନର ରିପୋର୍ଟକୁ ଗ୍ରହଣ କରିଛନ୍ତି । ଏହି କମିସନକୁ ୨୦୨୫ ମାର୍ଚ୍ଚରେ ନିଯୁକ୍ତ କରାଯାଇଥିଲା ଏବଂ ସେହି ବର୍ଷ ନଭେମ୍ବରରେ ଏହା ନିଜର ରିପୋର୍ଟ ଦାଖଲ କରିଥିଲା ।

କମିସନର ତଦନ୍ତରେ ପ୍ରାର୍ଥିପତ୍ର ଦାଖଲ ସମୟରେ ଗୁରୁତର ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ପ୍ରାର୍ଥିପତ୍ର ଚିରିଦେବା, ପ୍ରାର୍ଥୀଙ୍କୁ ମାଡ଼ ମାରିବା, ଅଟକ ରଖିବା ଏବଂ ଧମକ ଦେବା ଭଳି ଅଭିଯୋଗ ମଧ୍ୟ ରହିଥିଲା । ଏହି ସମସ୍ତ ତଥ୍ୟକୁ ଆଧାର କରି କମିସନ ପୁନଃନିର୍ବାଚନ ପାଇଁ ସୁପାରିସ କରିଥିଲା । 

ସୁପ୍ରିମକୋର୍ଟ ଏହି ସୁପାରିସକୁ ଗ୍ରହଣ କରି ୫୦ଟି ୱାର୍ଡରେ ପୁଣି ନିର୍ବାଚନ କରିବାକୁ କହିଛନ୍ତି। ଛଅ ସପ୍ତାହ ମଧ୍ୟରେ ପୁନଃନିର୍ବାଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମ୍ପୂର୍ଣ୍ଣ ନିର୍ବାଚନୀ ପ୍ରକ୍ରିୟା ଛଅ ମାସ ମଧ୍ୟରେ ଶେଷ କରିବାକୁ କୋର୍ଟ କହିଛନ୍ତି । ପ୍ରାର୍ଥିପତ୍ର ଦାଖଲ ଭଳି ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ଓ ହିଂସାର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପଞ୍ଜାବର ପୌର ରାଜନୀତିରେ ଗୁରୁତ୍ୱ ବହନ କରୁଛି ।

Leave a Reply

Your email address will not be published. Required fields are marked *