ଦୁର୍ନୀତି ଧରିବା ଓ ରୋକିବା ଦାୟିତ୍ୱରେ ଥିବା ଅଧିକାରୀ ହିଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବାରିପଦାରେ ଦୁଇ ଏସ୍ଟି-ଏସ୍ସି ଅଡିଟର୍ଙ୍କଠାରୁ ୧୪.୩୮ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ରାଉରକେଲାରେ ଅବକାରୀ ଅଧୀକ୍ଷକ ୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି।
ଦୁର୍ନୀତି ଧରିବାକୁ ଯାଇଥିଲେ… ନିଜେ ଦୁର୍ନୀତି କରି ଧରାପଡ଼ିଗଲେ। ଏସ୍ଟି-ଏସ୍ସି ବିଭାଗର ଦୁଇ ଅଡିଟର୍ ପ୍ରଶାନ୍ତ ପ୍ରଧାନ ଓ ପ୍ରଜ୍ଞା ରାଉତ । ସରକାରୀ ପାଣ୍ଠି ଖର୍ଚ୍ଚରେ ଗଡ଼ବଡ଼ି ଧରିବା ଯେଉଁମାନଙ୍କ କାମ ଥିଲା, ସେମାନେ ହିଁ କରୁଥିଲେ ଗଫଲତି । ଆଦିବାସୀ ହଷ୍ଟେଲ୍ ଓ ଆଶ୍ରମ ସ୍କୁଲର ଅଡିଟ୍ କରିବାକୁ ଯାଉଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳୁ ଚୌକି ପକାଇ ବସୁଥିଲେ । ସ୍କୁଲ ପ୍ରଧାନଶିକ୍ଷକମାନେ ଆସି ଜଣ ଜଣ କରି ଭେଟି ଦେଉଥିଲେ ଟଙ୍କା ଭର୍ତ୍ତି ଲଫାପା ।
ପ୍ରତି ହଷ୍ଟେଲ ପିଲା ପିଛା ମାସକୁ ୧୦ ଟଙ୍କା ହିସାବରେ ଲାଞ୍ଚ ନେଉଥିଲେ ଏମାନେ । ଆଉ ଲାଞ୍ଚ ଟଙ୍କା ଧରି ବାରିପଦାରେ ହୋଟେଲକୁ ଫେରିବା ବେଳେ, ଭିଜିଲାନ୍ସ ଜବତ କରିଛି ୧୪ ଲକ୍ଷ ୩୮ ହଜାର ଟଙ୍କା । ଭୁବନେଶ୍ୱରସ୍ଥିତ ପୈତୃକ ଘର ଓ ଅଫିସ୍ରେ ଚଢ଼ାଉ ପରେ, ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଯାହାକି ପୂରା ଅଡିଟ୍ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭିଜିଲାନ୍ସ ଜାଲରେ ଫସିଥିବା ଆଉ ଜଣେ ବାବୁ ହେଉଛନ୍ତି ରାଉରକେଲା ଅବକାରୀ ଜିଲ୍ଲା ଅଧୀକ୍ଷକ ଧନେଶ୍ୱର ବରାଡ଼ । ଯିଏ ବେଆଇନ ନିଶା କାରବାରକୁ ରୋକିବା କଥା । ସିଏ ନିଜେ ମଦବେପାରୀଠୁ ନେଉଥିଲେ ୫ ଲକ୍ଷ ଲାଞ୍ଚ । ଚଢ଼ାଉ ପରେ ତାଙ୍କର ଭୁବନେଶ୍ୱର ରଘୁନାଥପୁରରେ ଦୁଇ ମହଲା କୋଠା, ଭୁବନେଶ୍ୱରରେ ଗୋଟିଏ ମୂଲ୍ୟବାନ ଜମି ଓ ନୟାଗଡ଼ରେ ତିନିଟି ମୂଲ୍ୟବାନ ଜମି ଠାବ କରିଛି ଭିଜିଲାନ୍ସ l ଏଥିସହ ୩୩ ଲକ୍ଷ ୯୭ ହଜାର ଟଙ୍କାର ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍ ଓ ଇନ୍ଭେଷ୍ଟମେଣ୍ଟ ଥିବା ଜାଣିବାକୁ ପାଇଛି । ଅବକାରୀ ଅଧୀକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ଟିମ ।
ଏଥିରୁ ସ୍ପଷ୍ଟ ହେଉଛି କେମିତି ଚାଲିଛି ଅବକାରୀ ବିଭାଗ। ରକ୍ଷକ ଭକ୍ଷକ ସାଜୁଛି! ବାଡ଼ ଫସଲ ଖାଉଛି! ଲାଞ୍ଚୁଆ ବାବୁମାନଙ୍କ ଗୁମର ଖୋଲିବା ପରେ, ସରକାରୀ କଳରୁ ଦୁର୍ନୀତି କଳଙ୍କି କେମିତି ଛାଡ଼ିବ? ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଗୋଟିଏ ପଟେ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର ଚେତାବନୀ ଦେଉଛନ୍ତି । ଅନ୍ୟପଟେ ଖୋଦ୍ ଦୁର୍ନୀତି ରୋକିବା ଦାୟିତ୍ୱରେ ଥିବା ବାବୁମାନେ ଚିତା କାଟି ଚାଲିଛନ୍ତି ।

