ଦିଲ୍ଲୀ-ଏନସିଆରରେ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇଛି କଡ଼ା ନିୟମ। ଏଣିକି ବୈଧ PUC ବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ଗାଡ଼ିରେ ପେଟ୍ରୋଲ, ଡିଜେଲ କିମ୍ବା CNG ଭରିପାରିବେ ନାହିଁ ।
ଦିଲ୍ଲୀ-ଏନସିଆରରେ ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଅକ୍ଟୋବର ୧ ତାରିଖରୁ ଲାଗୁ ହୋଇଛି କଡ଼ା ନିୟମ। ଏଣିକି ବୈଧ PUC ବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ଗାଡ଼ିରେ ପେଟ୍ରୋଲ, ଡିଜେଲ କିମ୍ବା CNG ଭରିପାରିବେ ନାହିଁ । ଶୀତ ଋତୁ ପୂର୍ବରୁ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ଅର୍ଥାତ୍, ଏବେ ଗାଡ଼ି ନେଇ ପେଟ୍ରୋଲ ପମ୍ପରେ ପହଞ୍ଚିଲେ ପ୍ରଥମେ ଯାଞ୍ଚ ହେବ ଆପଣଙ୍କ ଗାଡ଼ିର PUC ବୈଧ ଅଛି କି ନାହିଁ ।
ଏଥିପାଇଁ ଦିଲ୍ଲୀର ପ୍ରାୟ ୫୦୦ ପେଟ୍ରୋଲ ପମ୍ପରେ ANPR ବା Automatic Number Plate Recognition କ୍ୟାମେରା ଲଗାଯାଇଛି । ଗାଡ଼ି ପେଟ୍ରୋଲ ପମ୍ପକୁ ଆସିଲେ କ୍ୟାମେରା କିମ୍ବା ମୋବାଇଲ୍ ଆପ୍ ଜରିଆରେ ନମ୍ବର ପ୍ଲେଟ୍ ସ୍କାନ୍ କରାଯିବ । ଏହାପରେ ସିଷ୍ଟମ୍ ସିଧାସଳଖ ଗାଡ଼ିର PUC ରେକର୍ଡ ଯାଞ୍ଚ କରିବ । ଯଦି PUC ବୈଧ ଥାଏ, ତେବେ ଗାଡ଼ିକୁ ଇନ୍ଧନ ମିଳିବ । କିନ୍ତୁ PUC ନଥିଲେ କିମ୍ବା ଏହାର ମିଆଦ ସରିଯାଇଥିଲେ, ପେଟ୍ରୋଲ ପମ୍ପ କର୍ମଚାରୀ ଇନ୍ଧନ ଦେବେ ନାହିଁ ।
ଏଠି ଆଉ ଏକ ବଡ଼ କଥା ହେଉଛି ଯଦି ବିନା ବୈଧ PUCରେ ଗାଡ଼ି ଧରାପଡ଼େ, ତେବେ ଗାଡ଼ି ମାଲିକଙ୍କୁ ୨୪ ଘଣ୍ଟା ମଧ୍ୟରେ PUC କରାଇବାକୁ ପଡ଼ିବ । ନିର୍ଦ୍ଧାରିତ ସମୟ ମଧ୍ୟରେ PUC ନକଲେ, ମୋଟର ଯାନ ନିୟମ ଅନୁସାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅନଲାଇନ୍ ଚାଲାଣ କଟିପାରେ । ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦିଲ୍ଲୀରେ ୩୩୪ଟି ଏନଫୋର୍ସମେଣ୍ଟ ଟିମ୍ ନିୟୋଜିତ ହୋଇଛି । ଏହାସହ ଏଆଇ ଭିତ୍ତିକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ମଧ୍ୟ ସକ୍ରିୟ କରାଯାଇଛି ।
ଏହାର ପ୍ରଭାବ ଏବେ ପେଟ୍ରୋଲ ପମ୍ପରେ ମଧ୍ୟ ଦେଖିବାକୁ ମିଳୁଛି । ଡିଲର୍ସ ଆସୋସିଏସନ୍ ଅନୁସାରେ, ପ୍ରତ୍ୟେକ ପେଟ୍ରୋଲ ପମ୍ପକୁ ପ୍ରତିଦିନ ପ୍ରାୟ ୮ରୁ ୧୦ଟି ବିନା PUC ଗାଡ଼ି ଆସୁଛି ଏବଂ ସେମାନଙ୍କୁ ଇନ୍ଧନ ଦେବାକୁ ମନା କରାଯାଉଛି । ଏଥିପାଇଁ ପମ୍ପରେ ଡ୍ରାଇଭର ଏବଂ କର୍ମଚାରୀଙ୍କ ମଧ୍ୟରେ ବିବାଦ ଆଶଙ୍କା ମଧ୍ୟ ରହିଛି । ସେପଟେ PUC କେନ୍ଦ୍ରଗୁଡ଼ିକରେ ମଧ୍ୟ ଭିଡ଼ ବଢ଼ିଛି । ଅନେକ ଡ୍ରାଇଭର ପେଟ୍ରୋଲ ପମ୍ପରେ ପହଞ୍ଚିବା ପରେ ସେଠାରେ ହିଁ PUC ପରୀକ୍ଷା କରାଇ ନୂଆ ପ୍ରମାଣପତ୍ର ନେଉଛନ୍ତି ।
ତେବେ କେବଳ PUC ଯାଞ୍ଚ ନୁହେଁ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ-ଏନସିଆରରେ ଆହୁରି କିଛି କଡ଼ା ପଦକ୍ଷେପ ନିଆଯାଇଛି । ପୁରୁଣା ଓ ଅବଧି ସରିଥିବା ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ, ଡିଜେଲ୍ ଅଟୋ ଉଚ୍ଛେଦ ଏବଂ ରାସ୍ତାରୁ ଧୂଳି କମାଇବା ପାଇଁ ମେକାନିକାଲ୍ ସୁଇପିଂ ଭଳି ପଦକ୍ଷେପ ମଧ୍ୟ ନିଆଯାଉଛି । ତେଣୁ ଦିଲ୍ଲୀ-ଏନସିଆରରେ ଗାଡ଼ି ଚଳାଉଥିଲେ PUCର ମିଆଦ ଯାଞ୍ଚ କରିନିଅନ୍ତୁ । କାରଣ ଏଣିକି PUC ନଥିଲେ କେବଳ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ, ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଚାଲାଣ ମଧ୍ୟ ଗଣିବାକୁ ପଡ଼ିପାରେ ।

