ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଭାନୁଆଟୁ ଉପକୂଳରେ ଏକ ଫେରି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ନିଖୋଜ ଥିବା ସ୍ଥାନୀୟ ସରକାର କହିଛନ୍ତି।
ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଭାନୁଆଟୁ ଉପକୂଳରେ ଏକ ଫେରି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ନିଖୋଜ ଥିବା ସ୍ଥାନୀୟ ସରକାର କହିଛନ୍ତି। ଏମଭି ମାଟୁଇ ନାମକ ଜାହାଜଟି ଶୁକ୍ରବାର ଦିନ ୪୦ ରୁ ଅଧିକ ଯାତ୍ରୀ ଏବଂ କର୍ମଚାରୀଙ୍କୁ ନେଇ ସାଣ୍ଟୋ ଦ୍ୱୀପରୁ ଆମ୍ବା ଦ୍ୱୀପକୁ ଅଶାନ୍ତ ସମୁଦ୍ରିକ ସ୍ଥିତି ମଧ୍ୟରେ ଯାତ୍ରା କରିଥିଲା । କିନ୍ତୁ ଫେରିଟି ନିଜ ଗନ୍ତବ୍ୟ ସ୍ଥଳରେ ନପହଞ୍ଚି ଅଧାବାଟରେ ବୁଡ଼ି ଯାଇଥିଲା। ଭାନୁଆଟୁ ପ୍ରଧାନମନ୍ତ୍ରୀ ଜୋଥାମ ନାପାଟଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ଏନେଇ ଜାରି ଏକ ବିବୃତିରେ ଗଭୀର ଶୋକ ପ୍ରକାଶ କରାଯାଇଛି ।
ଜାହାଜରେ ଥିବା ପନ୍ଦର ଜଣଙ୍କୁ ଉଦ୍ଧାର କରାଯାଇଛି। ଏହା ସହିତ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବିବୃତିରେ କୁହାଯାଇଛି। ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ପ୍ରବଳ ପବନ ଏବଂ ଅଶାନ୍ତ ସାମୁଦ୍ରିକ ସ୍ଥିତିକୁ ଅଣଦେଖା କରିବା ଏବଂ ସମ୍ଭବତଃ ଓଭରଲୋଡିଂ ଯୋଗୁଁ ଏଭଳି ଘଟିଥିବା ବିବୃତିରେ କୁହାଯାଇଛି।
ନ୍ୟୁ କାଲିଡୋନିଆର ନୌମିଆରେ ଥିବା ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର କହିଛି ଯେ,ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ରବିବାର ସକାଳେ ଉଦ୍ଧାର କାର୍ଯ୍ୟରେ ଫ୍ରାନ୍ସ ସଶସ୍ତ୍ର ବାହିନୀର ବିମାନକୁ ନିୟୋଜିତ କରାଯାଇଛି। ରବିବାର ସକାଳେ ୧୨ ଜଣଙ୍କୁ ଠାବ କରାଯାଇଥିବା କେନ୍ଦ୍ର କହିଛି। ସନ୍ଧାନରେ ସହାୟତା କରୁଥିବା ଲୁଗାନଭିଲର ସଂସଦ ସଦସ୍ୟ ମାଟାଇ ସେରେମାୟା କହିଛନ୍ତି, ଦକ୍ଷିଣ-ପୂର୍ବ ଉପକୂଳରେ ନିଖୋଜଙ୍କ ସନ୍ଧାନ କରାଯାଉଛି। ଅନୁମାନ କରାଯାଉଛି ପ୍ରବଳ ଜଳ ସ୍ରୋତରେ ଲୋକେ ଭାସି ସେଠାରେ ପହଞ୍ଚିଥାଇ ପାରନ୍ତି।

