କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ର ପାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ନଥିବା ସହ ମିଆଦ ଶେଷ ହୋଇଥିବା ଔଷଧ ବଣ୍ଟନ ଅଭିଯୋଗ ଆସିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୪ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ।
ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର । ନାହାଁନ୍ତି ଡାକ୍ତର, ନର୍ସ କି ସ୍ବାସ୍ଥ୍ୟ କର୍ମଚାରୀ । ରୋଗୀଙ୍କୁ ବଣ୍ଟାଯାଉଛି ଏକ୍ସପାରି ମେଡିସିନ୍। ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସୁବିଧା ପହଁଚାଇବା ପାଇଁ ସରକାରୀ ତହବିଲ୍ରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ। ଗାଁ ଗାଁରେ ତିଆରି ହେଉଛି ସ୍ବାସ୍ଥ୍ୟକେନ୍ଦ୍ର ଓ ଆରୋଗ୍ୟ ମନ୍ଦିର। କେବଳ ଭିତ୍ତିଭୂମି ତିଆରି ହେଉଛି ସତ ହେଲେ ଏହାକୁ ଚଳାଇବାକୁ ମାନସମ୍ବଳ ରହୁନାହାଁନ୍ତି।
ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଭଳି କନ୍ଧମାଳ ଫିରିଙ୍ଗିଆ ବ୍ଲକ ପାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରୁ କିଛି ଏଭଳି ଚିତ୍ର ସାମ୍ନାକୁ ଆସିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ୪ଟି ପଞ୍ଚାୟତର ହଜାର ହଜାର ରୋଗୀ ନିର୍ଭରଶୀଳ। ତେବେ ଏଠାରେ ଡାକ୍ତର କି ଫାର୍ମାସିଷ୍ଟ ନଥିବା ବେଳେ ସ୍ବାସ୍ଥ୍ୟକର୍ମୀ ଓ ଝାଡ଼ୁଦାର୍ରେ ଚିକିତ୍ସା ଚାଲିଛି । ଅନ୍ୟ ଏକ ସ୍ଥାନରୁ ଏଠାକୁ ଡେପୁଟେସନ୍ରେ ଆସିଥିବା ମ୍ୟାଲେରିଆ ସ୍ବାସ୍ଥ୍ୟ କର୍ମୀ ହିଁ ରୋଗୀଙ୍କ ବ୍ଲଡ୍ପ୍ରେସର୍, ସୁଗର୍ ଲେବୁଲ୍ ଚେକ୍ କରୁଥିବା ଦେଖିବାକୁ ମିଳିଛି ।
ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କ୍ବାର୍ଟର ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଫାଙ୍କା ପଡ଼ିଛି । କେବଳ କର୍ମଚାରୀ ର ଅଭାବ ନୁହେଁ, ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଏକ୍ସପାରି ମେଡିସିନ୍ ବଣ୍ଟନ କରାଯାଉଛି । ତାରିଖ ଗଡ଼ିଯାଇଥିବା ଔଷଧକୁ ନୀରିହ ଆଦିବାସୀ ବଣ୍ଟାଯାଇ ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ କରାଯାଇଛି । ଆଦିବାସୀ ବହୁଳ ଏହି ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଓ ନିୟମିତ ଚିକିତ୍ସା ସେବା ଯୋଗାଇଦେବାକୁ ଦାବି ଉଠିଛି ।

