କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ର ଥନଟ ଗାଁରୁ କନା ଗାଁକୁ ସଂଯୋଗ କରିବା ପାଇଁ ତେଲ ନଦୀ ଉପରେ ନିର୍ମାଣ ହୋଇଛି ବିଜୁ ସେତୁ। ଗତ ମେ’ ମାସରୁ ସେତୁ ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଏଯାଏଁ ଆପ୍ରୋଚ୍ ରୋଡ୍ ନିର୍ମାଣ ହୋଇନାହିଁ।
ମାଳ ମାଳ ଯୋଜନା, ବିକାଶ ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଲୋକଙ୍କ କାମରେ ଲାଗିପାରୁନି ଯୋଜନା। ବିକାଶ ପାଇଁ ନିର୍ମାଣ ହେଉଛି ଭିତ୍ତିଭୂମି, କିନ୍ତୁ ଗ୍ରାଉଣ୍ଡ ଜିରୋରେ ବାସ୍ତବତା କିଛି ଅଲଗା। ଯାତାୟାତ ସୁବିଧା ପାଇଁ ନିର୍ମାଣ ହୋଇଥିବା ସେତୁର ନାହିଁ ସଂଯୋଗୀକରଣ ରାସ୍ତା। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ସେତୁ ଲୋକଙ୍କ କାମରେ ଲାଗିପାରୁନି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ରୁ ଆସିଛି ବିକାଶର ଏଭଳି ଚିତ୍ର ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ର ଥନଟ ଗାଁରୁ କନା ଗାଁକୁ ସଂଯୋଗ କରିବା ପାଇଁ ତେଲ ନଦୀ ଉପରେ ନିର୍ମାଣ ହୋଇଛି ବିଜୁ ସେତୁ। ଉଦ୍ଦେଶ୍ୟ ଥିଲା, ସେତୁ ନିର୍ମାଣ ହେଲେ ଦୁଇ ଗାଁ ମଧ୍ୟରେ ଯାତାୟାତ ସହଜ ହେବ। ଲୋକଙ୍କ ଦୈନନ୍ଦିନ ଜୀବନରେ ଆସିବ ପରିବର୍ତ୍ତନ। ହେଲେ ସେତୁ ନିର୍ମାଣ କାମ ଗତ ମେ’ ମାସରୁ ଶେଷ ହୋଇଥିଲେ ମଧ୍ୟ ଏଯାଏଁ ନିର୍ମାଣ ହୋଇନାହିଁ ଆପ୍ରୋଚ୍ ରୋଡ୍। ଫଳରେ ସେତୁର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ ।
ବିକାଶର ସୁନେଲି ସ୍ୱପ୍ନ ଦେଖାଇ ସରକାର ନିର୍ମାଣ କରିଥିବା ପୋଲ ଏବେ ଲୋକଙ୍କ ପାଇଁ ଅଧାପନ୍ତରିଆ ଭିତ୍ତିଭୂମି ପାଲଟିଛି। କେବଳ ଆପ୍ରୋଚ୍ ରୋଡ୍ ନୁହେଁ, ସେତୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁର ଉପଯୋଗିତା ଓ ନିର୍ମାଣର ମାନକୁ ନେଇ ଅସନ୍ତୋଷ ବଢ଼ୁଛି।
ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦୁଇ ମାସର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ନିର୍ମାଣ କାମ ଶେଷ ନହେଲେ ଗ୍ରାମ ଉନ୍ନୟନ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଲୋକଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହୋଇଥିବା ସେତୁ କେବେ କାର୍ଯ୍ୟକ୍ଷମ ହେବ? କେବେ ଶେଷ ହେବ ସଂଯୋଗୀକରଣ ରାସ୍ତା? ଆଉ କେବେ ବାସ୍ତବ ରୂପ ନେବ ବିକାଶର ସ୍ୱପ୍ନ? ଏବେ ଏହାକୁ ହିଁ ଅପେକ୍ଷା ।

