୧୯୭୧ ବିଜୟର ମହାନାୟକ କନକ ବ୍ୟୁରୋ: ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ସାମ୍ ହରମୁସଜୀ ଫ୍ରାମଜୀ ଜାମସେଦଜୀ ମାଣିକଶାଙ୍କ ପୁଣ୍ୟତିଥି ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
୧୯୭୧ ବିଜୟର ମହାନାୟକ କନକ ବ୍ୟୁରୋ: ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ସାମ୍ ହରମୁସଜୀ ଫ୍ରାମଜୀ ଜାମସେଦଜୀ ମାଣିକଶାଙ୍କ ପୁଣ୍ୟତିଥି ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଭାରତୀୟ ସେନାର ଇତିହାସରେ ଜଣେ ଦକ୍ଷ ରଣନୀତିଜ୍ଞ, ସାହସୀ ସେନାନାୟକ ଓ ଦୂରଦର୍ଶୀ ନେତା ଭାବେ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।୧୯୧୪ ଏପ୍ରିଲ୍ ୩ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିବା ସାମ୍ ମାଣିକଶା ୧୯୩୪ ମସିହାରେ ବ୍ରିଟିଶ୍ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସାଧାରଣ ସାହସ ପ୍ରଦର୍ଶନ କରି ସେ ‘ମିଲିଟାରୀ କ୍ରସ୍’ ସମ୍ମାନରେ ସମ୍ମାନିତ ହୋଇଥିଲେ। ସ୍ୱାଧୀନତା ପରେ ସେ ଭାରତୀୟ ସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ତୁଲାଇଥିଲେ।
୧୯୬୯ ମସିହାରେ ସେ ଭାରତୀୟ ସେନାର ପ୍ରମୁଖ (Chief of Army Staff)ଭାବେ ନିଯୁକ୍ତ ହୋଇଥିଲେ। ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ଅପୂର୍ବ ନେତୃତ୍ୱରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିଥିଲା ଏବଂ ବାଂଲାଦେଶ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଉଭା ହୋଇଥିଲା। ଏହି ବିଜୟ ଭାରତୀୟ ସେନାର ସବୁଠୁ ଗୌରବମୟ ଅଧ୍ୟାୟ ଭାବେ ଯାଏ ହୁଏ।
ଦେଶ ପ୍ରତି ତାଙ୍କର ଅସାଧାରଣ ଅବଦାନକୁ ସମ୍ମାନ ଜଣାଇ ୧୯୭୨ ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ବର୍ଷ ୧୯୭୩ରେ ସେ ଭାରତର ପ୍ରଥମ ଫିଲ୍ଡ ମାର୍ଶାଲ ପଦବୀରେ ଅଭିଷିକ୍ତ ହୋଇଥିଲେ, ଯାହା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନଜନକ ପଦବୀ। ଅବସର ଗ୍ରହଣ ପରେ ସାମ୍ ମାଣିକଶା ତାମିଲନାଡୁର ୱେଲିଙ୍ଗଟନରେ ବସବାସ କରୁଥିଲେ। ୨୭ ଜୁନ୍ ୨୦୦୮ରେ ୯୪ ବର୍ଷ ବୟସରେ ନିମୋନିଆଜନିତ ଜଟିଳତା କାରଣରୁ ତାଙ୍କର ପରଲୋକ ଘଟିଥିଲା। ସାମରିକ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଚଳିତ ବର୍ଷ ତାଙ୍କ ପୁଣ୍ୟତିଥି ଅବସରରେ ତାମିଲନାଡୁର ନୀଳଗିରି ଜିଲ୍ଲାର ୱେଲିଙ୍ଗଟନରେ ଥିବା ତାଙ୍କ ସ୍ମୃତିସ୍ଥଳରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ, ପୂର୍ବତନ ସେନା ସଦସ୍ୟ ଏବଂ ସାଧାରଣ ଲୋକ ପୁଷ୍ପଚକ୍ର ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସାମ୍ ମାଣିକଶାଙ୍କ ସାହସ, ଦୃଢ଼ ନେତୃତ୍ୱ, ଯୁଦ୍ଧକୌଶଳ ଏବଂ ଦେଶପ୍ରେମ ଆଜି ମଧ୍ୟ ଭାରତୀୟ ସେନା ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି।

