ୟେମେନର ତାଇଜ୍ ସହରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ରହିଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି।
ୟେମେନରେ ପୁଣି ଭୟଙ୍କର ହେଉଛି ଯୁଦ୍ଧ ପରିସ୍ଥିତି। ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ଥରହର ହେଉଛି ୟେମେନ। ଅନ୍ୟପଟେ ହୁତିଙ୍କ କବଳରୁ ରାଜଧାନୀ ସାନାକୁ ଛଡ଼ାଇ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି ସାଉଦି ସମର୍ଥିତ ୟେମେନର ସରକାରୀ ସେନା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବଢ଼ିଛି। ସାନା ଉପରେ ଆକ୍ରମଣ ହେଲେ ସାଉଦି ରାଜଧାନୀ ରିୟାଦରେ ଭୟଙ୍କର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ହୁତି ବିଦ୍ରୋହୀ।
ୟେମେନର ତାଇଜ୍ ସହରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ରହିଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଅନ୍ୟପଟେ ସାନାର ପଶ୍ଚିମ ଅଞ୍ଚଳରେ ଥିବା ତୈଳ ଭଣ୍ଡାର ଓ ସରକାରୀ ତୈଳ କମ୍ପାନୀର ସୁବିଧା କେନ୍ଦ୍ରକୁ ଖାଲି କରିବାକୁ ସ୍ଥାନୀୟ ଲୋକଙ୍କୁ ଚେତାବନୀ ଦେଇଛି ସାଉଦି ନେତୃତ୍ୱାଧୀନ ମେଣ୍ଟ। ସେଠାରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ୍ ହେବାର ସମ୍ଭାବନା ରହିଛି।
ହୁତି ସମର୍ଥକ ଗଣମାଧ୍ୟମ ‘ଅଲ୍-ମସିରାହ’ ଅନୁସାରେ, ସାନାର ପଶ୍ଚିମ ଭାଗରେ ଥିବା ଏକ ତୈଳ କେନ୍ଦ୍ର ଉପରେ ସାଉଦି ନେତୃତ୍ୱାଧୀନ ମେଣ୍ଟ ଆକାଶମାର୍ଗରୁ ଆକ୍ରମଣ କରିଛି। ତେବେ ଏହି ଦାବିର ସ୍ୱାଧୀନ ପୁଷ୍ଟି ହୋଇପାରିନାହିଁ। ଏପଟେ ରିୟାଦର ଉତ୍ତର ଦିଗରେ ୩ଟି ଡ୍ରୋନ୍କୁ ଅଟକାଯାଇଥିବା ସାଉଦି ମେଣ୍ଟ ପକ୍ଷରୁ କୁହାଯାଇଛି।
ହୁତି ସାମରିକ ମୁଖପାତ୍ର ୟାହ୍ୟା ସରି କହିଛନ୍ତି, ସାନା ଉପରେ ଆକ୍ରମଣ ହେଲେ ରିୟାଦରେ କଠୋର ଓ ଯନ୍ତ୍ରଣାଦାୟକ ପ୍ରତିଶୋଧ ନିଆଯିବ। ଏପରିକି ସାଉଦିର ତୈଳ କମ୍ପାନୀ ଆରାମକୋର ସୁବିଧା କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରିବାକୁ ମଧ୍ୟ ହୁତିମାନେ ଧମକ ଦେଇଛନ୍ତି।
ଅନ୍ୟପଟେ ୟେମେନର ସରକାରୀ ସେନାର ଦାବି ଅନୁସାରେ, ‘ଅପରେସନ୍ ଡନ୍ ଅଫ୍ ୟେମେନ୍’ରେ ୯୫୦ ଜଣ ହୁତି ଯୋଦ୍ଧା ନିହତ ହୋଇଛନ୍ତି ଏବଂ ୩୮୦ଟି ସାମରିକ ଯାନ ନଷ୍ଟ କିମ୍ବା ଅଚଳ ହୋଇଛି। ତେବେ ଏହି ତଥ୍ୟର ସ୍ୱାଧୀନ ପୁଷ୍ଟି ହୋଇନାହିଁ। ୨୦୧୪ରେ ହୁତି ବିଦ୍ରୋହୀମାନେ ସାନାକୁ ନିଜ ଦଖଲକୁ ନେବା ପରଠାରୁ ୟେମେନରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ସାନାକୁ ନେଇ ବଢ଼ୁଥିବା ଉତ୍ତେଜନା ଆଞ୍ଚଳିକ ସଂଘର୍ଷକୁ ଆହୁରି ତୀବ୍ର କରିବାର ଆଶଙ୍କା ସୃଷ୍ଟି କରିଛି।

