ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ବିରୋଧୀ ଦଳର ସାଂସଦମାନେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ଲୋକସଭା ପରିସରରେ ‘ଚାନ୍ଦା ଚୋରି’ ପ୍ରସଙ୍ଗକୁ ନେଇ ଏକ ପ୍ରତୀକାତ୍ମକ ଲଘୁ ନାଟକ ମଞ୍ଚସ୍ଥ କରାଯାଇଥିଲା
ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ବିରୋଧୀ ଦଳର ସାଂସଦମାନେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ଲୋକସଭା ପରିସରରେ ‘ଚାନ୍ଦା ଚୋରି’ ପ୍ରସଙ୍ଗକୁ ନେଇ ଏକ ପ୍ରତୀକାତ୍ମକ ଲଘୁ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହି ନାଟକରେ ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ଭଗବା ବସ୍ତ୍ର ପିନ୍ଧି ପୁଜାରୀ ଭୂମିକାରେ ଅଭିନୟ କରିଥିଲେ । ବିରୋଧୀ ଦଳ ପକ୍ଷରୁ ଏକ ପ୍ରତୀକାତ୍ମକ ଦାନପାତ୍ର ରଖାଯାଇଥିଲା । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସେଠାରେ ପହଞ୍ଚି ଦାନପାତ୍ରରେ ଟଙ୍କା ପକାଇଥିଲେ । ଏହାପରେ ନାଟକୀୟ ଢଙ୍ଗରେ ପପ୍ପୁ ଯାଦବ ଦାନପାତ୍ର ନେଇ ଦୌଡ଼ିବା ଆରମ୍ଭ କରିଥିଲେ ।
ସାଥୀ ସାଂସଦମାନେ ତାଙ୍କୁ ଅଟକାଇବା ସହ “ଚନ୍ଦା ଚୋର, ଗଦ୍ଦୀ ଛାଡ଼” ସ୍ଲୋଗାନ ଦେଇଥିଲେ । ସଂସଦ ପରିସରରେ ଏହି ପ୍ରତିବାଦ କିଛି ସମୟ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିରୋଧୀ ଦଳ କହିଛି ଯେ, ଏହା ଏକ ପ୍ରତୀକାତ୍ମକ ପ୍ରଦର୍ଶନ, ଯାହା ମାଧ୍ୟମରେ ସେମାନେ ନିଜର ରାଜନୈତିକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ, ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଟକ୍କର ଜାରି ରହିଛି । ସଂସଦ ପରିସରରେ ବିରୋଧୀଙ୍କ ଏହି ନାଟକୀୟ ପ୍ରତିବାଦ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓ ଦ୍ରୁତ ଭାବେ ଭାଇରାଲ ହେଉଛି।

