ଷୋଳ ପୂଜା ପୂର୍ବରୁ ସରିବ କି କଟକ ଚଣ୍ଡୀ ମନ୍ଦିର କାମ?

ଶାରଦୀୟ ଦୁର୍ଗାପୂଜା ପୂର୍ବରୁ କଟକ ଚଣ୍ଡୀ ମନ୍ଦିରର ନିର୍ମାଣ କାମ ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ତିନି ବର୍ଷ ଧରି ଚାଲିଥିବା କାମ ଏଯାଏଁ ସମ୍ପୂର୍ଣ୍ଣ ହୋଇନଥିବାରୁ ପୂଜକ ଓ ଶ୍ରଦ୍ଧାଳୁ ଅସନ୍ତୁଷ୍ଟ। ଯଜ୍ଞ ବେଦି, ପାର୍ଶ୍ୱ ଦେବଦେବୀଙ୍କ ସ୍ଥାପନ ଭଳି କିଛି କାମ ବାକି ଥିବା ଅଭିଯୋଗ ରହିଛି।

ଷୋଳ ପୂଜା ପୂର୍ବରୁ ଚଣ୍ଡୀ ମନ୍ଦିର କାମ ସରିବା ନେଇ ଅନିଶ୍ଚିତତା ।  ଅସନ୍ତୋଷ ଝାଡ଼ିଲେ ପୂଜକ ଓ ଶ୍ରଦ୍ଧାଳୁ । ପଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। କଟକ ଚଣ୍ଡୀ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଦିନ ଗଡ଼ି ଚାଲିଛି। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ପୂଜକ। କୋଟି କୋଟି ଟଙ୍କାର ମନ୍ଦିର ନିର୍ମାଣ ହେଲା। ହେଲେ ଏବେବି  ମନ୍ଦିରରୁ ପାଣି ଝରୁଛି। ଚଣ୍ଡୀ ପୂଜା ସମୟରେ ଯଜ୍ଞ ପୂଜା ହେବା ବିଧି ରହିଛି। ହେଲେ ଯଜ୍ଞ ବେଦି କାର୍ଯ୍ୟ ସରିପାରିନି।

ମନ୍ଦିର ପାର୍ଶ୍ୱ ଦେବଦେବୀ ଏପର୍ଯ୍ୟନ୍ତ ମନ୍ଦିରରେ ସ୍ଥାପନ ହୋଇନାହାନ୍ତି। ମନ୍ଦିରର ଆର୍ଥିଂ କାମ ସହ ଦଧିନଉତି କାମ ସରିଛି। ହେଲେ ମନ୍ଦିର ଅଗ୍ର ଭାଗରେ ଏପର୍ଯ୍ୟନ୍ତ ପତାକା ଲଗିପରିନାହିଁ। ଚଣ୍ଡୀ ମନ୍ଦିର ନିର୍ମାଣ  କାର୍ଯ୍ୟ ଓବିସିସି କେବେ ସାରି ହସ୍ତାନ୍ତର କରିବ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି।  ବର୍ଷେ କି ଦୁଇବର୍ଷ ନୁହେଁ ଚଣ୍ଡୀ ମନ୍ଦିର ନିର୍ମାଣ କାର୍ଯ୍ୟ  ତିନି ବର୍ଷ ହେଲା ଚାଲିଛି। ଏହାରି ଭିତରେ ସ୍ଥାନୀୟ ସାଂସଦ, ବିଧାୟିକ ଥରକୁ ଥର ମନ୍ଦିର ପରିଦର୍ଶନରେ ଆସି ନିର୍ମାଣ କାର୍ଯ୍ୟ ସମୀକ୍ଷା କରୁଛନ୍ତି।

ବହୁବାର  କାମ ସରିବା ନେଇ ତାରିଖ ଘୋଷଣା କରାଯାଇଛି। ହେଲେ, ପଦ୍ମ ଘୁଞ୍ଚିଲା ପରି ଚଣ୍ଡୀ ମନ୍ଦିର ନିର୍ମାଣ କାର୍ଯ୍ୟ   ଘୁଞ୍ଚି ଘୁଞ୍ଚି ଚାଲିଛି। ସେପଟେ ଅକ୍ଟୋବର ପ୍ରଥମ ସପ୍ତାହ ଭିତରେ କାମ ସାରି ହସ୍ତାନ୍ତର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶୋଳ ପୂଜା ପୂର୍ବରୁ କଟକ ଚଣ୍ଡୀଙ୍କ ମନ୍ଦିର କାର୍ଯ୍ୟ ସମ୍ପାଦନ ହେଇ ପାରୁଛି, ନା  ଏଥର ବି ଗତବର୍ଷ ଭଳି ସମାନ ଅବସ୍ଥା ହେବ ତାକୁ ନେଇ ଦ୍ୱନ୍ଦ୍ବ ଲାଗିରହିଛି। 

Leave a Reply

Your email address will not be published. Required fields are marked *