ଶୀତ ଆସିନି, ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ

ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଦୃଶ୍ୟମାନ ଦୂରତା ୫୦ ମିଟର କିମ୍ବା ତା’ଠାରୁ କମ୍‌କୁ ଖସିଥିବାରୁ ଜାତୀୟ ରାଜପଥ ସମେତ ବିଭିନ୍ନ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଗାଡ଼ି ଚାଳକଙ୍କୁ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ।

ଶୀତ ଋତୁ ଆସିନି, ହେଲେ ରାଜଧାନୀରେ ଦେଖିବାକୁ ମିଳିଲାଣି ଘନ କୁହୁଡ଼ି। ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ କୁହୁଡ଼ିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହେବା ସହ ଯାତାୟାତରେ ସମସ୍ୟା ଉପୁଜିଛି। ରାସ୍ତାଘାଟରେ ଦୃଶ୍ୟମାନ ଦୂରତା ୫୦ ମିଟର କିମ୍ବା ତା’ଠାରୁ କମ୍‌କୁ ଖସି ଆସିଥିବାରୁ ଗାଡ଼ି ଚାଳକଙ୍କୁ ଯାତାୟାତ ବେଳେ ବେଶ୍‌ ସତର୍କ ରହିବାକୁ ପଡ଼ିଛି।

ଘନ କୁହୁଡ଼ିର ପ୍ରଭାବ ୧୬ ନମ୍ବର ଜାତୀୟ ରାଜପଥ ସମେତ ସହରର ଅନ୍ୟ ପ୍ରମୁଖ ରାସ୍ତାରେ ଅନୁଭୂତ ହୋଇଛି। ଆଗରେ ଥିବା ଗାଡ଼ି ଓ ରାସ୍ତା ସ୍ପଷ୍ଟ ଦେଖାଯାଉନଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ିଛି।

କୁହୁଡ଼ି ସମୟରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗାଡ଼ିର ଫଗ୍‌ ଲାଇଟ୍‌ ବ୍ୟବହାର କରିବା ସହ ଗତି ନିୟନ୍ତ୍ରଣରେ ରଖିବା ଜରୁରୀ। ଏଥିସହ ଆଗରେ ଯାଉଥିବା ଗାଡ଼ିଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବା ଆବଶ୍ୟକ। ଘନ କୁହୁଡ଼ି ଥିବା ସମୟରେ ଅତି ଜରୁରୀ ନହେଲେ ଯାତ୍ରା ଏଡ଼ାଇବା ମଧ୍ୟ ସୁରକ୍ଷିତ ପଦକ୍ଷେପ ହୋଇପାରେ।

Leave a Reply

Your email address will not be published. Required fields are marked *