ମହିଳା ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶ ସରକାର ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଅନୁସାରେ ପ୍ରାୟ ୫୦ ହଜାର ମେଧାବୀ ଛାତ୍ରୀଙ୍କୁ ମାଗଣା ସ୍କୁଟି ଦିଆଯିବ ।
ମହିଳା ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶ ସରକାର ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଅନୁସାରେ ପ୍ରାୟ ୫୦ ହଜାର ମେଧାବୀ ଛାତ୍ରୀଙ୍କୁ ମାଗଣା ସ୍କୁଟି ଦିଆଯିବ । ସରକାରଙ୍କ ସୂଚନା ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷରେ ଭଲ ଫଳାଫଳ କରିଥିବା ଛାତ୍ରୀମାନେ ଏହି ଯୋଜନାର ସୁବିଧା ପାଇବେ । ପରିବାରର ବାର୍ଷିକ ଆୟ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବା ଯୋଗ୍ୟ ଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ । ଏହା ସହ ନିରାଶ୍ରିତ, ଦିବ୍ୟାଙ୍ଗ ଏବଂ ଶହୀଦ ପରିବାରର ଝିଅମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।
ସରକାରଙ୍କ ମତରେ, ଦୂରଦୂରାନ୍ତରୁ କଲେଜକୁ ଯାଉଥିବା ଛାତ୍ରୀମାନଙ୍କ ପାଇଁ ଯାତାୟାତ ଏକ ବଡ଼ ସମସ୍ୟା । ମାଗଣା ସ୍କୁଟି ମିଳିଲେ ସେମାନେ ସହଜରେ ଉଚ୍ଚଶିକ୍ଷା ଜାରି ରଖିପାରିବେ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବେ । ଯୋଜନାର ବିସ୍ତୃତ ନିୟମାବଳୀ, ଆବେଦନ ପ୍ରକ୍ରିୟା ଏବଂ ଯୋଗ୍ୟତା ମାନଦଣ୍ଡ ସରକାର ପକ୍ଷରୁ ପର୍ଯ୍ୟାୟକ୍ରମେ ପ୍ରକାଶ କରାଯିବ । ଯୋଗୀ ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟରେ ମହିଳା ଶିକ୍ଷା ଓ ସଶକ୍ତିକରଣ ଦିଗରେ ଏକ ବଡ଼ ପ୍ରୟାସ ଭାବେ ଦେଖାଯାଉଛି ।

