ସଞ୍ଜୟ ଦତ୍ତ ମୁନ୍ନାଭାଇ ଷ୍ଟାଇଲ୍ରେ କହିଥିଲେ, ଟ୍ରମ୍ପଙ୍କୁ ଭେଟିବା ପାଇଁ ସେ ପ୍ରଥମେ ଆମେରିକା ଯିବେ। ଯୁଦ୍ଧ ଓ ଆକ୍ରମଣ ପରିବର୍ତ୍ତେ ଶାନ୍ତିର ରାସ୍ତା ଆପଣାଇବାକୁ ସେ ଟ୍ରମ୍ପଙ୍କୁ ବୁଝାଇବେ ବୋଲି କହିଥିଲେ।
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ସବୁଠୁ ଚର୍ଚ୍ଚିତ ଚରିତ୍ର ମଧ୍ୟରୁ ‘ମୁନ୍ନାଭାଇ’ ଅନ୍ୟତମ। ‘ମୁନ୍ନାଭାଇ ଏମ୍ବିବିଏସ୍’ ଏବଂ ‘ଲଗେ ରହୋ ମୁନ୍ନାଭାଇ’ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ଏହି ଚରିତ୍ର ଏବେ ପୁଣି ଚର୍ଚ୍ଚାରେ। ନିକଟରେ ଶେଖର ସୁମନଙ୍କ ଶୋ’ରେ ଯୋଗଦେଇ ସଞ୍ଜୟ ଦତ୍ତ ମୁନ୍ନାଭାଇ ଷ୍ଟାଇଲ୍ରେ ଏକ ମଜାଦାର ସ୍ପିଚ୍ ଦେଇଥିଲେ।
ଶୋ’ରେ ତାଙ୍କୁ ପଚରାଯାଇଥିଲା ଯେ, ଯଦି ମୁନ୍ନାଭାଇ ଆଜିର ସମୟରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ଦେଶର ହିତ ପାଇଁ କେଉଁ ନିଷ୍ପତ୍ତି ନେଇଥାନ୍ତେ? ଏହାର ଉତ୍ତର ଦେବା ସମୟରେ ସଞ୍ଜୟ ଦତ୍ତ ନିଜ ଲୋକପ୍ରିୟ ‘ମୁନ୍ନାଭାଇ’ ଅନ୍ଦାଜରେ ଅନେକ କଥା କହିଥିଲେ। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏକ ବିଶେଷ ବାର୍ତ୍ତା ଦେଇଥିଲେ।
ସଞ୍ଜୟ ଦତ୍ତ ମୁନ୍ନାଭାଇ ଷ୍ଟାଇଲ୍ରେ କହିଥିଲେ, ଟ୍ରମ୍ପଙ୍କୁ ଭେଟିବା ପାଇଁ ସେ ପ୍ରଥମେ ଆମେରିକା ଯିବେ। ଯୁଦ୍ଧ ଓ ଆକ୍ରମଣ ପରିବର୍ତ୍ତେ ଶାନ୍ତିର ରାସ୍ତା ଆପଣାଇବାକୁ ସେ ଟ୍ରମ୍ପଙ୍କୁ ବୁଝାଇବେ ବୋଲି କହିଥିଲେ। ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ଅନ୍ୟମାନେ ମଧ୍ୟ ସେହି ରାସ୍ତା ଆପଣାଇପାରନ୍ତି, ତେଣୁ ଏପରି ସ୍ଥିତିରେ ବିଶ୍ୱ ଶାନ୍ତି କିପରି ଆସିବ ବୋଲି ସେ ପ୍ରଶ୍ନ କରିଥିଲେ।
ମୁନ୍ନାଭାଇଙ୍କ ଅନ୍ଦାଜରେ ସଞ୍ଜୟ ଆହୁରି କହିଥିଲେ ଯେ, ମିସାଇଲ୍ ପଠାଇବା ପରିବର୍ତ୍ତେ ବଡ଼ ଗୁଲଦସ୍ତା ପଠାଇବା ଉଚିତ। ଧମକ ଦେବା ବଦଳରେ ଲୋକଙ୍କୁ ଘରକୁ ଡାକି ଚା’ ପିଇ ଆଲୋଚନା କରିବା ଦରକାର। ଏଥିସହ ଟ୍ରମ୍ପଙ୍କ ‘ଟାରିଫ୍’କୁ ନେଇ ମଧ୍ୟ ସେ ମଜାଳିଆ ଢଙ୍ଗରେ କହିଥିଲେ ଯେ, ‘ଟାରିଫ୍’ ଛାଡ଼ି ଲୋକଙ୍କ ‘ତାରିଫ୍’ କରିବା ଆରମ୍ଭ କରନ୍ତୁ।
ଶେଷରେ ସଞ୍ଜୟ ଦତ୍ତ କହିଥିଲେ, ସେ ଆମେରିକା ଆସୁଛନ୍ତି ଟ୍ରମ୍ପଙ୍କୁ ‘ଜାଦୁ କି ଝପ୍ପି’ ଦେବା ପାଇଁ। ଏହି ମଜାଳିଆ ବାର୍ତ୍ତା ପରେ ପୁଣି ଥରେ ‘ମୁନ୍ନାଭାଇ ଚଲେ ଆମେରିକା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମର ତୃତୀୟ ଭାଗ ନେଇ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଏହା ନିର୍ମାଣ ହୋଇପାରିନଥିଲା। ତେବେ ସଞ୍ଜୟଙ୍କ ଏହି ବାର୍ତ୍ତା ‘ମୁନ୍ନାଭାଇ ୩’ର କୌଣସି ସଙ୍କେତ କି ନୁହେଁ, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।

