ଅବସରପ୍ରାପ୍ତ ଆର୍ମି ମେଜର ଖୁସବୁ ପଟାନୀ ମହିଳାଙ୍କୁ ଆତ୍ମରକ୍ଷା ପାଇଁ CO2 ଏୟାର ପିସ୍ତଲ ରଖିବା ଓ ଟ୍ରେନିଂ ନେବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ଭିଡିଓକୁ ନେଇ ଡିଫେନ୍ସ ଏକ୍ସପର୍ଟମାନେ ଟ୍ରିଗର ଡିସିପ୍ଲିନ୍ ଓ ଅପ୍ରଶିକ୍ଷିତ ବ୍ୟବହାରର ବିପଦ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଅଭିନେତ୍ରୀ ଦିଶା ପଟାନୀଙ୍କ ବଡ଼ ଭଉଣୀ ତଥା ଅବସରପ୍ରାପ୍ତ ଆର୍ମି ମେଜର ଖୁସବୁ ପଟାନୀ ମହିଳାଙ୍କ ଆତ୍ମରକ୍ଷାକୁ ନେଇ ଏକ ଭିନ୍ନ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜ ସୁରକ୍ଷା ପାଇଁ CO2 ଚାଳିତ ଏୟାର ପିସ୍ତଲ ବ୍ୟବହାର କରିବା ଶିଖନ୍ତୁ ବୋଲି ସେ ଏକ ସୋସିଆଲ ମିଡିଆ ଭିଡିଓରେ କହିଛନ୍ତି। ହେଲେ ଏହି ପରାମର୍ଶକୁ ନେଇ ଏବେ ଆରମ୍ଭ ହୋଇଛି ବଡ଼ ଚର୍ଚ୍ଚା । ଖୁସବୁ ପଟାନୀ ଭିଡିଓରେ ଏକ .177 କ୍ୟାଲିବର CO2 ଏୟାର ପିସ୍ତଲର ରେପ୍ଲିକା ଦେଖାଇଥିଲେ । ମହିଳାମାନେ ଏହାକୁ ଚଲାଇବା ପାଇଁ ଶୁଟିଂ ରେଞ୍ଜରେ ଟ୍ରେନିଂ ନେବା ସହ ନିଜ ସୁରକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ସେ କହିଥିଲେ । ତାଙ୍କର ମୁଖ୍ୟ ବାର୍ତ୍ତା ଥିଲା—ନିଜ ସୁରକ୍ଷା ପାଇଁ ମହିଳାମାନେ ସବୁବେଳେ ଅନ୍ୟ କାହା ଉପରେ ନିର୍ଭରଶୀଳ ନହୁଅନ୍ତୁ ।
କିନ୍ତୁ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେନାର ପୂର୍ବତନ ଅଧିକାରୀ ଓ ଡିଫେନ୍ସ ଏକ୍ସପର୍ଟମାନେ ତାଙ୍କୁ ସମାଲୋଚନା କରିଛନ୍ତି। ବିଶେଷକରି ଭିଡିଓରେ ତାଙ୍କର ଟ୍ରିଗର ଡିସିପ୍ଲିନ୍ ଏବଂ ଅସ୍ତ୍ର ଧରିବାର ଶୈଳୀ ଉପରେ ପ୍ରଶ୍ନ ଉଠିଛି । ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ପୁଷ୍କଳ ବିଜୟ ଦ୍ୱିବେଦୀ କହିଛନ୍ତି, ଏପରି ଏକ ଏୟାର ପିସ୍ତଲକୁ ମହିଳାଙ୍କ ଆତ୍ମରକ୍ଷା ଅସ୍ତ୍ର ଭାବେ ପରାମର୍ଶ ଦେବା ବିପଦକୁ ଆମନ୍ତ୍ରଣ କରିପାରେ । ତାଙ୍କ ମତରେ, ଜଣେ ଅପ୍ରଶିକ୍ଷିତ ବ୍ୟକ୍ତି ଭୟ କିମ୍ବା ଆତଙ୍କରେ ଅସ୍ତ୍ର ବ୍ୟବହାର କଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ।
ସେହିପରି ମେଜର ମାଣିକ ଏମ୍. ଜଲି ମହିଳାମାନଙ୍କୁ ଏଭଳି ଏୟାର ପିସ୍ତଲ ନେବା ପରିବର୍ତ୍ତେ ପେପର ସ୍ପ୍ରେ ଭଳି ବିକଳ୍ପ ଉପରେ ବିଚାର କରିବାକୁ କହିଛନ୍ତି । ଡିଫେନ୍ସ ଏକ୍ସପର୍ଟ ସନ୍ଦୀପ ଉନ୍ନିଥାନ ମଧ୍ୟ ଭିଡିଓରେ “Poor trigger discipline” ବୋଲି ମନ୍ତବ୍ୟ କରିଛନ୍ତି ।
ତେବେ ଏଠାରେ ଆଉ ଏକ ବଡ଼ ପ୍ରଶ୍ନ ରହିଛି—ଏୟାର ପିସ୍ତଲ କିଣିବା ଓ ରଖିବା କ’ଣ ଆଇନସମ୍ମତ?
ଭାରତର Arms Rules, 2016 ଅନୁସାରେ ଏୟାର ଅସ୍ତ୍ରର କ୍ଷମତା ଓ ବୋର୍ ଉପରେ ନିୟମ ଲାଗୁ ହୁଏ । ୨୦ ଜୁଲ୍ରୁ ଅଧିକ ମଜଲ୍ ଏନର୍ଜି କିମ୍ବା ୦.୧୭୭ ଇଞ୍ଚରୁ ଅଧିକ ବୋର୍ ଥିବା ଏୟାର ଅସ୍ତ୍ର ପାଇଁ ଲାଇସେନ୍ସ ଆବଶ୍ୟକ ହୋଇପାରେ । ଏହାଠାରୁ କମ୍ କ୍ଷମତାର ଏୟାର ଅସ୍ତ୍ର ମଧ୍ୟ ସମ୍ପୂର୍ଣ୍ଣ ନିୟମମୁକ୍ତ ନୁହେଁ । ତେଣୁ ଏୟାର ପିସ୍ତଲକୁ ସାଧାରଣ ଖେଳନା ଭାବିବା ଠିକ୍ ନୁହେଁ । ଏହି ବିବାଦର ପୃଷ୍ଠଭୂମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିହାରର ଜମୁଇରେ ଦୁଇ ନାବାଳକଙ୍କୁ ହଇରାଣ କରାଯିବା ଏବଂ ଦିଲ୍ଲୀର ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷୀୟାଙ୍କ ସହ ଗଣଦୁଷ୍କର୍ମ ଘଟଣା ପରେ ମହିଳା ସୁରକ୍ଷା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି ।
ଦିଲ୍ଲୀ ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ସାର୍ବଜନୀନ ସ୍ଥାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଦିଲ୍ଲୀର ପାର୍କ, ରାସ୍ତା ଓ ଅନ୍ୟ ସାର୍ବଜନୀନ ସ୍ଥାନର ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ପୂରା ବିବାଦର ମୂଳ ପ୍ରଶ୍ନ ହେଉଛି ମହିଳାଙ୍କ ସୁରକ୍ଷାର ସମାଧାନ କ’ଣ ନିଜ ହାତରେ ଅସ୍ତ୍ର ରଖିବା, ନା ସାର୍ବଜନୀନ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା? ଖୁସବୁ ପଟାନୀଙ୍କ ବାର୍ତ୍ତା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହି ପ୍ରଶ୍ନ ଉପରେ ମଧ୍ୟ ଜୋରଦାର ଆଲୋଚନା ହେଉଛି ।

