ଏଇ ନିକଟରେ ବାହାଘର ହୋଇଛି। ଏଯାଏ ଗଇଣ୍ଠାଳ ଫିଟିନାହିଁ। ଅଥଚ ମହାପ୍ରଭୁ ପ୍ରାଣପ୍ରିୟା ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ଜନ୍ମବେଦିକୁ ଚାଲିଗଲେ। ମହାଲକ୍ଷ୍ମୀ ଅଭିମାନ କରିବାନି ବା କେମିତି?
ଏଇ ନିକଟରେ ବାହାଘର ହୋଇଛି। ଏଯାଏ ଗଇଣ୍ଠାଳ ଫିଟିନାହିଁ। ଅଥଚ ମହାପ୍ରଭୁ ପ୍ରାଣପ୍ରିୟା ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ଜନ୍ମବେଦିକୁ ଚାଲିଗଲେ। ମହାଲକ୍ଷ୍ମୀ ଅଭିମାନ କରିବାନି ବା କେମିତି? ଏଣେ ମହାପ୍ରଭୁ ଫେରି ଆସିଲେଣି ସିନା, ତଥାପି ଶ୍ରୀମନ୍ଦିରକୁ ଯାଇନାହାଁନ୍ତି । ଜଗି ବସିଛନ୍ତି, କେବେ ଫେରିବେ? ଦୁଇ ପଦ ନକହିଲେ, ରାଗ ଶାନ୍ତ ହେବ କେମିତି? ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହି ମାଧୁର୍ଯ୍ୟ ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଓ ଅଧିକାରର ପ୍ରତିଫଳନ ମାତ୍ର।
ନୀଳାଦ୍ରିବିଜେରେ ଶ୍ରୀମନ୍ଦିରକୁ ଲେଉଟିବା ଦିନ ଏହି ଅପୂର୍ବ ମିଳନ ଅବଲୋକନ କରନ୍ତି ଭକ୍ତ। ଏହାକୁ ‘ଲକ୍ଷ୍ମୀ ନାରାୟଣ କଳି’ ବୋଲି ଅଭିହିତ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଜୟ ବିଜୟ ଦ୍ବାର ନିକଟରେ ପହଞ୍ଚିବା ପରେ ଦ୍ବାରର ବାହାର ପଟେ ଦଇତା ସେବକ ସ୍ବାଇଁ ମହାପାତ୍ର ଏବଂ ଲକ୍ଷ୍ମୀ ଦେବୀଙ୍କ ପକ୍ଷରୁ ଦ୍ବାରର ଭିତର ପଟେ ଭିତର ଗାଏଣୀ ଦେବଦାସୀ ରହି ବଚନିକା କରୁଥିଲେ।
ମାତ୍ର ଶ୍ରୀମନ୍ଦିରରୁ ଦେବଦାସୀ ସେବା ବିଲୁପ୍ତ ହେବା ପରେ ଭିତରପଟେ ଲକ୍ଷ୍ମୀଙ୍କ ପକ୍ଷରୁ କେହି ରହୁନାହାଁନ୍ତି। ମତାନ୍ତରେ ଏବେ ଭିତରଚ୍ଛ ମହାପାତ୍ର ସେବକ ଏହି ଦାୟିତ୍ବ ତୁଲାଉଛନ୍ତି। ବଚନିକାରେ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ମଧ୍ୟରେ ବାର୍ତାଳାପ ହେବାର ବିଧି ରହିଥିଲେ ହେଁ ଏବେ ସେପରି ବଚନିକା ହେଉନାହିଁ।
ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରଥଯାତ୍ରାରେ ସାଥିରେ ନେଇନଥିବାରୁ ହେରା ପଞ୍ଚମୀରେ ଯାଇ ରଥ ଭାଙ୍ଗିଦେଇ ଆସିଥାନ୍ତି। ତଥାପି ମା’ଙ୍କ ଅଭିମାନ ଭାଙ୍ଗେନାହିଁ। ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁସାରେ ସିଂହଦ୍ବାରଠାରେ ବଚନିକା ହୋଇନଥାଏ, ବରଂ ଏହା ଶ୍ରୀମନ୍ଦିର ଜୟ ବିଜୟ ଦ୍ବାରଠାରେ ହୋଇଥାଏ। ପୂର୍ବରୁ ଦଇତା ସେବକ ଓ ଦେବଦାସୀଙ୍କ ମଧ୍ୟରେ ବଚନିକା ହେଉଥିଲା। ଦେବଦାସୀମାନେ ଦଇତାଙ୍କୁ ଲଣ୍ଡଭଣ୍ଡ କରନ୍ତି ବୋଲି ସ୍ବତ୍ବଲିପିରେ ଉଲ୍ଲେଖ ରହିଛି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଲକ୍ଷ୍ମୀ ନାରାୟଣ ବଚନିକା ପରମ୍ପରା ଧୀରେଧୀରେ ଲୁପ୍ତ ହେବାକୁ ବସିଛି। ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖ ଭଣ୍ଡାର ଘର ଠାରେ ପହଞ୍ଚିବା ପରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ନୀତି ଓ ରସଗୋଲା ଭୋଗ ଆଦି କରାଯାଏ।
ସନ୍ଧ୍ୟାଧୂପ ସରିବା ପରେ ବିଜେ କାହାଳୀ ବାଜି ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ରତ୍ନବେଦୀ ଅଭିମୁଖେ ଯାଆନ୍ତି। ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରନ୍ତି। ମାତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥାଆନ୍ତି। ଏତିକି ବେଳେ ଲକ୍ଷ୍ମୀଙ୍କ ନିର୍ଦେଶରେ ଦେବଦାସୀମାନେ ଯାଇ ସିଂହଦ୍ବାରକୁ ବନ୍ଦ କରିଦେବାର ପ୍ରଥା ରହିଛି। କିଛି କ୍ଷଣ ପରେ ପୁଣି ଦ୍ବାର ଖୋଲିଯାଏ। ପୁନଶ୍ଚ ଶ୍ରୀଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ବାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ବାର ଭିତର ପଟୁ ବନ୍ଦ କରାଯାଇଥାଏ। ଶ୍ରୀଜଗନ୍ନାଥ ସିଂହଦ୍ବାରରେ ପହଞ୍ଚିବା ପରେ ସିଂହଦ୍ବାର ଫିଟାଇ ଦିଅନ୍ତି। ଏହି ପ୍ରଥା ଏବେ ବି ପାଳନ ହେଉଛି, କିନ୍ତୁ ସେ ଦାୟିତ୍ବ ତୁଲାଇବାକୁ ଆଉ ଦେବଦାସୀମାନେ ନାହାଁନ୍ତି।

