ମହାନଦୀରେ ବନ୍ୟା ଯୋଗୁଁ ଶାଖା ନଦୀ ଫୁଲି ଜଗତସିଂହପୁର ତିର୍ତ୍ତୋଲର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ନଈକୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଅନ୍ୟପଟେ, ବର୍ଷା ଥମିଥିଲେ ବି କୋରାପୁଟରେ ରାସ୍ତା ସଫା ହୋଇନଥିବାରୁ ଯାତାୟତ ପ୍ରଭାବିତ ହୋଇଛି।
ଚଳିତ ବର୍ଷ ମହାନଦୀରେ ବନ୍ୟାଜଳ ଆସିବା ଯୋଗୁଁ ତଳିଆ ଅଞ୍ଚଳରେ ପଶିଛି ପାଣି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ମହାନଦୀରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ତିର୍ତ୍ତୋଲ ଅଞ୍ଚଳର କୋଟକଣା ମୁଣ୍ଡାସାହି, ତିର୍ତ୍ତୋଲ ଆଦିବାସୀ ସାହି, ମଣିଜଙ୍ଗା ବେହେରା ସାହି ସମେତ କୋଲର ଏବଂ ରାହାମା ଅଞ୍ଚଳର ହରିପୁର ଆଦି ତଳିଆ ଅଞ୍ଚଳ ଏବେ ପାଣି ଘେରରେ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।

