ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଏକମାତ୍ର ବିଧାୟକ ଉମା ଶଙ୍କର ସିଂହଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା ।
ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଏକମାତ୍ର ବିଧାୟକ ଉମା ଶଙ୍କର ସିଂହଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାର ରସଡ଼ା ବିଧାୟକ ସିଂହଙ୍କର ବ୍ରେନ୍ ଟ୍ୟୁମରର ଚିକିତ୍ସା ଚାଲିଥିଲା ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ବୁଧବାର ସନ୍ଧ୍ୟା ୮ଟା ୩୦ରେ ତାଙ୍କର ପରଲୋକ ଘଟିଥିଲା ।
ବିଏସ୍ପି ଅଧ୍ୟକ୍ଷ ମାୟାବତୀ ଦଳୀୟ ବିଧାୟକଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ଉମା ଶଙ୍କର ସିଂହଙ୍କ ମୃତ୍ୟୁକୁ ଖୁବ୍ ଦୁଃଖଦ ଘଟଣା ବୋଲି କହିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ଓ ସମର୍ଥକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମାୟାବତୀ ସିଂହଙ୍କୁ ଜଣେ ସମର୍ପିତ, ସଚ୍ଚୋଟ ଓ ଖୁବ୍ ବିଶ୍ବସ୍ତ ଦଳୀୟ କର୍ମୀ ଭାବେ ବର୍ଣ୍ଣନା କରିଛନ୍ତି। ସିଂହଙ୍କ ପରିବାର ତାଙ୍କୁ ବଡ଼ ଭଉଣୀ ଭାବେ ବିବେଚିତ କରନ୍ତି। ଦିବଂଗତ ବିଧାୟକଙ୍କ ଚିକିତ୍ସା ଚାଲିଥିବା ସମୟରେ ସେ ତାଙ୍କ ପୁଅ ସହିତ ଲଗାତାର ସମ୍ପର୍କରେ ରହିଥିଲେ ବୋଲି କହିଛନ୍ତି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏହାକୁ ଅତ୍ୟନ୍ତ ହୃଦୟ ବିଦାରକ ବୋଲି କହିଛନ୍ତି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସିଂହଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।
ବଲିଆର ରସଡ଼ା ନିର୍ବାଚନମଣ୍ଡଳୀରୁ ବିଏସ୍ପିର ପ୍ରତିନିଧିତ୍ୱ କରି ଉମା ଶଙ୍କର ସିଂହ ବିଜୟୀ ହୋଇଥିଲେ । ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ସେ ବିଏସ୍ପିର ଜଣେ ମାତ୍ର ପ୍ରତିନିଧି ଥିଲେ । ଜଣେ ତୃଣମୂଳ ସ୍ତର ନେତା ଭାବେ ପରିଚିତ ଉମା ଶଙ୍କର ସିଂହ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରି ଉତ୍ତର ପ୍ରଦେଶରେ ଜଣେ ପ୍ରମୁଖ ଆଞ୍ଚଳିକ ରାଜନେତା ପାଲଟିଥିଲେ । ସେ କ୍ରମାଗତ ଭାବେ ତିନିଥର ଉତ୍ତର ପ୍ରଦେଶର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବହୁଜନ ସମାଜ ପାର୍ଟିର ଟିକେଟରେ ସେ ୨୦୧୨ରେ ପ୍ରଥମ ଥର ଓ ପରେ ୨୦୧୭ ଏବଂ ୨୦୨୨ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

