ବାରାଣସୀ ବିମାନବନ୍ଦରରେ ଯାଞ୍ଚ ବେଳେ ଫୁଟିଲା ଗୁଳି, ୨ ଆହତ

ବାରାଣସୀ ବିମାନବନ୍ଦରରେ ଯାଞ୍ଚ ବେଳେ ଫୁଟିଲା ଗୁଳି । ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୁଳି ଫୁଟିବାରୁ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର ବାରାଣସୀ ବାବତପୁରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ସକାଳେ ଘଟିଛି ଏହି ଘଟଣା ।

ବାରାଣସୀ ବିମାନବନ୍ଦରରେ ଯାଞ୍ଚ ବେଳେ ଫୁଟିଲା ଗୁଳି । ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୁଳି ଫୁଟିବାରୁ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର ବାରାଣସୀ ବାବତପୁରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ସକାଳେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ, ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ପାଖରେ ଲାଇସେନ୍ସପ୍ରାପ୍ତ ପିସ୍ତଲ ଓ ମାଗାଜିନ ଥିବା ଘୋଷଣା କରିଥିଲେ । ନିୟମ ଅନୁଯାୟୀ ସୁରକ୍ଷାକର୍ମୀମାନେ ଅସ୍ତ୍ର ଯାଞ୍ଚ କରୁଥିବା ସମୟରେ ହଠାତ୍ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟିଥିଲା । ଗୁଳିଟି ପ୍ରଥମେ ଚଟାଣରେ ବାଜିବା ପରେ ଦୁଇଜଣ ଏଏଆଇସିଏଲଏଏସ୍ ସ୍କ୍ରିନରଙ୍କ ଦେହରେ ଲାଗିଥିଲା । ଘଟଣାରେ ଜଣେ ମହିଳାଙ୍କ ଜଙ୍ଘରେ ଏବଂ ଅନ୍ୟ ଜଣେ ଯୁବକଙ୍କ ହାତରେ ଆଘାତ ଲାଗିଛି ।

 ଉଭୟଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହରହୁଆର ଏକ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଘଟଣା ପରେ ବିମାନବନ୍ଦର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ କଡ଼ାକଡ଼ି କରାଯାଇଥିବା ବେଳେ ପୋଲିସ ଓ ସମ୍ପୃକ୍ତ ସୁରକ୍ଷା ଏଜେନ୍ସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ସୂଚନା ଅନୁସାରେ, ଯାତ୍ରୀଜଣକ ଉତ୍ତର ପ୍ରଦେଶର ଆଜମଗଡ଼ ଅଞ୍ଚଳର ପୂର୍ବତନ ସୈନିକ ବୋଲି ଜଣାପଡ଼ିଛି । ଲାଇସେନ୍ସପ୍ରାପ୍ତ ପିସ୍ତଲକୁ ନିୟମ ଅନୁଯାୟୀ ବିମାନ ଯାତ୍ରା ପାଇଁ ବୁକ୍ କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ପିସ୍ତଲରୁ ଗୁଳି ଫୁଟିଲା, ଏଥିରେ କାହାର ଅବହେଳା ଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି । ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *