ବିଦେଶ ମାଟିରେ ହରିୟାଣାର ଯୁବକଙ୍କୁ ନିର୍ମମ ହତ୍ୟା । ଜର୍ମାନୀର ଫ୍ରାଙ୍କଫର୍ଟରେ ଛୁରାମାଡ଼ରେ ପ୍ରାଣ ହରାଇଛନ୍ତି ୨୫ ବର୍ଷୀୟ ବିଷୁ ଶର୍ମା । ତାଙ୍କ ଘର କୁରୁକ୍ଷେତ୍ରରେ । ସବୁଠୁ ବଡ଼ କଥା ହେଉଛି, ବିଷୁ ପୂର୍ବରୁ ଫ୍ରେଞ୍ଚ୍ ସେନାରେ କାମ କରିଥିଲେ ।
ବିଦେଶ ମାଟିରେ ହରିୟାଣାର ଯୁବକଙ୍କୁ ନିର୍ମମ ହତ୍ୟା । ଜର୍ମାନୀର ଫ୍ରାଙ୍କଫର୍ଟରେ ଛୁରାମାଡ଼ରେ ପ୍ରାଣ ହରାଇଛନ୍ତି ୨୫ ବର୍ଷୀୟ ବିଷୁ ଶର୍ମା । ତାଙ୍କ ଘର କୁରୁକ୍ଷେତ୍ରରେ । ସବୁଠୁ ବଡ଼ କଥା ହେଉଛି, ବିଷୁ ପୂର୍ବରୁ ଫ୍ରେଞ୍ଚ୍ ସେନାରେ କାମ କରିଥିଲେ । ଜାଣିବାକୁ ମିଳିଛି, ବିଷୁ ଫ୍ରେଞ୍ଚ୍ ମିଲିଟାରୀ ଛାଡ଼ିବା ପରେ ଜର୍ମାନୀ ଯାଇଥିଲେ । ସେଠାରେ ଡେଲିଭରି ବ୍ୟବସାୟରେ କାମ କରୁଥିଲେ । ଏପରିକି ନିଜର ଏକ ଟିମ୍ ଗଠନ କରିଥିଲେ ଏବଂ ତାଙ୍କ ଅଧୀନରେ ଅନେକ ଲୋକ କାମ କରୁଥିଲେ ।
ସୋମବାର ପରିବାର ସହ ଶେଷ ଥର କଥା ହୋଇଥିଲେ ବିଷୁ । ସବୁକିଛି ସ୍ୱାଭାବିକ ଥିଲା । କଥା ହେବା ପରେ ସେ କାମକୁ ଫେରି ଯାଇଥିଲେ । ମଙ୍ଗଳବାର ପରିବାର ସହ ଆଉ କଥା ହୋଇନଥିଲା । ବୁଧବାର ସକାଳେ ମିଳିଲା ତାଙ୍କ ମୃତ୍ୟୁ ଖବର । ଏହି ହତ୍ୟାକାଣ୍ଡରେ ତିନି ଜଣ ସାମିଲ ଥିବା ଜଣାପଡ଼ିଛି । ତେବେ ଆକ୍ରମଣ ପଛର ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆକ୍ରମଣକାରୀଙ୍କ ସମ୍ପର୍କରେ ମଧ୍ୟ ଅଧିକ ସୂଚନା ମିଳିନାହିଁ ।
୨୦୨୨ ନଭେମ୍ବରରେ ବିଷୁ ପର୍ତ୍ତୁଗାଲ ଯାଇଥିଲେ । ତାଙ୍କୁ ବିଦେଶ ପଠାଇବା ପାଇଁ ପରିବାର ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ପରେ ଫ୍ରାନ୍ସ ଯାଇ ସେ ୬ ମାସ ସାମରିକ ପ୍ରଶିକ୍ଷଣ ନେଇ ପ୍ରାୟ ବର୍ଷେ ଫ୍ରେଞ୍ଚ୍ ସେନାରେ ସେବା କରିଥିଲେ ।
ଦୀପାବଳିରେ ଘରକୁ ଫେରିବା ଯୋଜନା ଥିଲା ବିଷୁଙ୍କର । ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳନ କରିବାକୁ ମଧ୍ୟ ସେ ଯୋଜନା କରିଥିଲେ । ଭଉଣୀଙ୍କୁ ଏକ ମୁଦି ଉପହାର ଦେବେ ବୋଲି କହିଥିଲେ । କିନ୍ତୁ ଏବେ ଘରକୁ ଫେରିବ ତାଙ୍କ ମରଶରୀର। ପୁଅର ମୃତଦେହ ଭାରତ ଆଣିବା ପାଇଁ ପରିବାର ପକ୍ଷରୁ ଆରମ୍ଭ ହୋଇଛି ଆବଶ୍ୟକ ପ୍ରକ୍ରିୟା ।

