‘ନୋଟବନ୍ଦୀ ପରେ ଏବେ ଭୋଟବନ୍ଦୀ’; ବିଜେପିକୁ ଟାର୍ଗେଟ କଲେ ସଚିନ ପାଇଲଟ୍

ମଞ୍ଚରେ ଯୋଗଦେଇ କଂଗ୍ରେସର ପଞ୍ଜାବ ପ୍ରଭାରୀ ସଚିନ ପାଇଲଟ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପଞ୍ଜାବ କଂଗ୍ରେସର ସମସ୍ତ ନେତା ଏକଜୁଟ ଅଛନ୍ତି ଏବଂ ଆଗାମୀ ନିର୍ବାଚନରେ ପୁଣି ସରକାର ଗଢ଼ିବା ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ ।

ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି । ମଞ୍ଚରେ ଯୋଗଦେଇ କଂଗ୍ରେସର ପଞ୍ଜାବ ପ୍ରଭାରୀ ସଚିନ ପାଇଲଟ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପଞ୍ଜାବ କଂଗ୍ରେସର ସମସ୍ତ ନେତା ଏକଜୁଟ ଅଛନ୍ତି ଏବଂ ଆଗାମୀ ନିର୍ବାଚନରେ ପୁଣି ସରକାର ଗଢ଼ିବା ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ ।

ନିର୍ବାଚନ ଆୟୋଗର ଭୂମିକାକୁ ନେଇ ସଚିନ ପାଇଲଟ କେନ୍ଦ୍ର ସରକାର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଦେଶରେ ବହୁ ପରିମାଣରେ ଭୋଟରଙ୍କ ନାମ ତାଲିକାରୁ ବାଦ ଦିଆଯାଉଛି । ସେ କହିଛନ୍ତି, ପୂର୍ବରୁ ଭାଜପା ନୋଟବନ୍ଦୀ କରିଥିଲା, ଏବେ ଭୋଟବନ୍ଦୀ କରୁଛି । ବିରୋଧୀ ନେତାମାନଙ୍କୁ ନିର୍ବାଚନ ଆୟୋଗ ସହ ଆଲୋଚନା ପାଇଁ ସମୟ ନମିଳିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଉପରେ ମଧ୍ୟ ପାଇଲଟ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଅଭିଯୋଗ ହେଉଛି, ନିର୍ବାଚନ ଆୟୋଗ ସମ୍ପର୍କିତ କିଛି ନିଷ୍ପତ୍ତି ସମସ୍ତ ଆୟୁକ୍ତଙ୍କ ସମ୍ମତି ବିନା ନିଆଯାଉଛି । ଏହି ମାମଲାର ଆଇନଗତ ଓ ନ୍ୟାୟିକ ସମୀକ୍ଷା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।

ପଞ୍ଜାବ କଂଗ୍ରେସର ନୂଆ ସଭାପତି ଭାବେ ପରଗଟ ସିଂହଙ୍କ ଚୟନକୁ ନେଇ ମଧ୍ୟ ପାଇଲଟ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ଦଳରେ ଅନେକ ଦକ୍ଷ ନେତା ଥିଲେ ମଧ୍ୟ ବ୍ୟାପକ ଆଲୋଚନା ଓ ସହମତି ପରେ ପରଗଟ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଜଣେ ପୂର୍ବତନ ହକି ଅଧିନାୟକ, ଅନେକଥର ନିର୍ବାଚିତ ହୋଇଥିବା ନେତା ଏବଂ ସ୍ୱଚ୍ଛ ଛବିର ବ୍ୟକ୍ତି ବୋଲି ପାଇଲଟ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବୟାନକୁ ନେଇ ପାଇଲଟ କହିଛନ୍ତି, ସରକାର ଚଳାଇବା ଏକ ଗମ୍ଭୀର ଦାୟିତ୍ୱ । ତେଣୁ ମୁଖ୍ୟମନ୍ତ୍ରୀ ପଦରେ ଥିବା ବ୍ୟକ୍ତି ନିଜ କଥାକୁ ଭାବିଚିନ୍ତି କହିବା ଉଚିତ । ପଞ୍ଜାବରେ ନିଶା କାରବାର ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ମଧ୍ୟ ପାଇଲଟ ରାଜ୍ୟ ସରକାରକୁ ଘେରିଛନ୍ତି। ସେ କହିଛନ୍ତି, ପଞ୍ଜାବରେ ଘରେ ଘରେ ନିଶା ପହଞ୍ଚୁଛି । ଏହାକୁ ରୋକିବା ପାଇଁ ପୁଲିସ, ପ୍ରଶାସନ ଓ ସରକାରଙ୍କୁ ଅଧିକ କଠୋର ପଦକ୍ଷେପ ନେବା ଦରକାର । ନିର୍ବାଚନ ପୂର୍ବରୁ ମହିଳାଙ୍କ ଖାତାକୁ ଟଙ୍କା ପଠାଇବା ଯୋଜନାକୁ ସେ ନିର୍ବାଚନୀ କୌଶଳ ବୋଲି ସମାଲୋଚନା କରିଛନ୍ତି ।

ପାଇଲଟ କହିଛନ୍ତି, ପଞ୍ଜାବର ଗୌରବମୟ ଇତିହାସ ରହିଛି । ହରିତ ବିପ୍ଳବ, ଶ୍ୱେତ ବିପ୍ଳବ ଓ ଶିଳ୍ପ କ୍ଷେତ୍ରରେ ରାଜ୍ୟର ଅବଦାନ ଅତୁଳନୀୟ । ପଞ୍ଜାବର ପୁରୁଣା ଗୌରବ ଓ ସମୃଦ୍ଧି ଫେରାଇବା ପାଇଁ କଂଗ୍ରେସ ଏକଜୁଟ ହୋଇ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *